ଯ‌ଥେଷ୍ଟ ଖାଇବା ତେଲ ଅଛି: ସରକାର

ଯ‌ଥେଷ୍ଟ ଖାଇବା ତେଲ ଅଛି: ସରକାର

ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ଖାଇବା ତେଲର ଅଭାବ ଦେଖାଦେଇଛି। ଏହା ବ୍ୟତୀତ ଇଣ୍ଡୋନେସିଆ ପକ୍ଷରୁ ଖାଇବା ତେଲ ରପ୍ତାନି ଉପରେ କଟକଣା ଲାଗୁ କରାଯାଇଥିବାରୁ ଭାରତୀୟ ଗ୍ରାହକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ପରିମାଣର ଖାଇବା ତେଲ ରହିଛି। ଏବେ ଦେଶରେ ୨୧ ଲକ୍ଷ ଟନ୍ ‌ତେଲ ଥିବା ବେଳେ ମେ’ ସୁଦ୍ଧା ଆଉ ୧୨ ଲକ୍ଷ ଟନ୍ ଆସି ପହଞ୍ଚିବ। ଦେଶରେ ତୈଳବୀଜ ଉତ୍ପାଦନ ମଧ୍ୟ ଉତ୍ସାହଜନ ରହିବ ବୋଲି ମନ୍ତ୍ରଣାଳୟ ଆକଳନ କରିଛି। ସୋୟାବିନ୍ ଉତ୍ପାଦନ ୧୨୬.୧୦ ଲକ୍ଷ ଟନ୍ ହେବ। ସୋରିଷ ଉତ୍ପାଦନ ୩୭ ପ୍ରତିଶତ ବୃଦ୍ଧି ପାଇ ୧୧୪ ଲକ୍ଷ ଟନ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହା ଦ୍ବାରା ଦେଶ ଭିତରେ ଏହି ତେଲଗୁଡ଼ିକର ଉତ୍ପାଦନ ବଢ଼ିବ। ଭାରତ ଆମଦାନି କରୁଥିବା ଖାଇବା ତେଲ ମଧ୍ୟରୁ ୬୨ ପ୍ରତିଶତ ହେଉଛି ପାମ୍ ଅଏଲ୍‌। ଇଣ୍ଡୋନେସିଆ ଓ ମାଲେସିଆରୁ ତାହା କିଣାଯାଉଛି। ୨୨ ପ୍ରତିଶତ ସୋୟାବିନ ତେଲ ଆର୍ଜେଣ୍ଟିନା ଓ ବ୍ରାଜିଲ୍‌ରୁ ଏବଂ ୧୫ ପ୍ରତିଶତ ସନ୍‌ଫ୍ଲାୱାର ଅଏଲ୍‌ ୟୁକ୍ରେନ୍ ଓ ରୁଷ୍‌ରୁ କିଣାଯାଉଥିଲା।

ସମ୍ବନ୍ଧିତ ଖବର