ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ୍ ସେବା ମୂତୟନ କରାଯାଉଥିବା ବେଳେ ତାହାର କୌଣସି ପ୍ରଭାବ ବିମାନ ଚଳାଚଳ ଉପରେ ପଡ଼ିବ ନାହିଁ ବୋଲି ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ଆଜି ସ୍ପଷ୍ଟ କରିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ୫ଜି ପ୍ରଯୁକ୍ତି ବିମାନ ପାଇଁ ସୁରକ୍ଷିତ ଥିବା ପ୍ରମାଣ ମିଳିଛି ବୋଲି ଟ୍ରାଇ କହିଛି। କିଛି ଦିନ ତଳେ ଆମେରିକାରେ ୫ଜି ସେବାକୁ ନେଇ ବିଭିନ୍ନ ସଂସ୍ଥା ବିମାନ ଉଡ଼ାଣ ରଦ୍ଦ କରିଥିଲେ। ଯେଉଁ ବ୍ୟାଣ୍ଡ୍ରେ ୫ଜି ସେବା ଦିଆଯାଉଛି ସେହି ପାଖାପାଖି ବ୍ୟାଣ୍ଡ୍କୁ ବିମାନ ଚଳାଚଳ ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ତେଣୁ ନୂଆ ପ୍ରଯୁକ୍ତିର ପ୍ରଭାବରେ ବିମାନର ଇଞ୍ଜିନ ଓ ବ୍ରେକ୍ ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଆମେରିକାର ନିୟାମକ ସଂସ୍ଥା ଏଭଳି ଆଶଙ୍କା ପ୍ରକଟ କରିବା ପରେ ଏୟାର ଇଣ୍ଡିଆ, ଏରିରେଟ୍ସ ଏୟାରଲାଇନ୍ସ ଭଳି ସଂସ୍ଥା ଭାରତରୁ ଆମେରିକାର ବିଭିନ୍ନ ସହରକୁ ଯାତ୍ରା କରିବାକୁ ଥିବା ବିମାନର ଉଡ଼ାଣ ରଦ୍ଦ କରିଥିଲେ।
ଆମେରିକାର ନିୟାମକ ସଂସ୍ଥା ଓ ବିମାନ ନିର୍ମାଣ କରୁଥିବା ସଂସ୍ଥା ବୋଇଙ୍ଗ୍ ପ୍ରତିଶ୍ରୁତି ଦେବା ପରେ ଉଡ଼ାଣ ସ୍ବାଭାବିକ ହୋଇଛି। ଏହି ପ୍ରସଙ୍ଗରେ ଟ୍ରାଇ ପକ୍ଷରୁ କୁହାଯାଇଛି ଯେ ଭାରତରେ ୫ଜି ସେବା ଆରମ୍ଭ ହେବା ପରେ ବିମାନ ଚଳାଚଳକୁ ନେଇ କୌଣସି ଅସୁବିଧା ଦେଖାଦେବ ନାହିଁ ବୋଲି ଜଣାପଡ଼ିଛି। ଆମେରିକାରେ ବିମାନ ଚଳାଚଳ ପାଇଁ ସଂରକ୍ଷିତ ଥିବା ସ୍ପେକ୍ଟ୍ରମ୍ ଓ ୫ଜି ସ୍ପେକ୍ଟ୍ରମ୍ ମଧ୍ୟରେ ଅନ୍ତର ବହୁତ କମ୍। କିନ୍ତୁ ଭାରତରେ ଏନେଇ ବଡ଼ ଧରଣର ଅନ୍ତର ରହିଛି। ଆମେରିକାରେ ୩୭୦୦-୩୯୮୦ ମେଗାହର୍ଚ ବ୍ୟାଣ୍ଡ୍ରେ ୫ଜି ସେବା ଯୋଗାଇ ଦିଆଯାଉଛି। ବିମାନରେ ଲାଗିଥିବା ଅଲ୍ଟିମିଟର ୪୨୦୦-୪୪୦୦ ବ୍ୟାଣ୍ଡ୍ରେ କାର୍ଯ୍ୟ କରୁଛି। ଭୂପୃଷ୍ଠରୁ ବିମାନର ଉଚ୍ଚତା କେତେ ତାହା ମାପିବା ଲାଗି ଅଲ୍ଟିମିଟରକୁ ବ୍ୟବହାର କରାଯାଏ। ଯେହେତୁ ଉଭୟ ବ୍ୟାଣ୍ଡ୍ ମଧ୍ୟରେ ମାତ୍ର ୨୨୦ ମେଗାହର୍ଚର ଅନ୍ତର ରହିଛି, ତେଣୁ ବିମାନ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ଆମେରିକାରେ ସୃଷ୍ଟି ହୋଇପାରେ। ଭାରତରେ ଏହି ଅନ୍ତର ୫୩୦ ମେଗାହର୍ଚ ରହିଛି। ଭାରତରେ ୩୩୦୦ ମେଗାହର୍ଚରେ ୫ଜି ସ୍ପେକ୍ଟ୍ରମ୍ ରହିଥିବା ବେଳେ ବିମାନ ପାଇଁ ୩୬୭୦ ମେଗାହର୍ଚ ବ୍ୟାଣ୍ଡ୍ର ସ୍ପେକ୍ଟ୍ରମ୍ ବ୍ୟବହାର ହେଉଛି। ଯଦି ଆମେରିକା ଭଳି ବିପଦ ଭାରତରେ ନାହିଁ କିନ୍ତୁ ଏବେଠାରୁ ଏହା ନିଶ୍ଚିତ କରାଯାଇପାରିବ ନାହିଁ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି।
୧,୦୦୦ ସହରରେ ଜିଓର ୫ଜି ସେବା ଶୀଘ୍ର
ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ୧,୦୦୦ଟି ସହରରେ ୫ଜି ବ୍ୟବସ୍ଥା ପ୍ରସ୍ତୁତ କରୁଥିବା କହିଛି। ତେଣୁ ଏହି ସହରଗୁଡ଼ିକରେ ଶୀଘ୍ର ୫ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। କଂପାନି ଏବେ ସ୍ବାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନ୍ କ୍ଷେତ୍ରରେ ୫ଜି ନେଟ୍ୱର୍କର ପରୀକ୍ଷଣ କରୁଛି। ୩ଡି ମ୍ୟାପ୍ ଓ ରେ’ ଟ୍ରେସିଂ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ପରୀକ୍ଷଣ କରାଯାଉଛି। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ବ୍ୟାବସାୟିକ ଫଳାଫଳ ଘୋଷଣା କରି ଜଣାଇଛି ଯେ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ତ୍ରୟମାସରେ କଂପାନିର ନିଟ୍ ଲାଭ ୩୮% ବୃଦ୍ଧି ପାଇ ୨୦,୫୩୯ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ କଂପାନିର ନିଟ୍ ଲାଭ ୧୪,୮୯୪ କୋଟି ଟଙ୍କା ଥିଲା। କଂପାନିର ରାଜସ୍ବ ୫୪% ବୃଦ୍ଧି ପାଇ ୧,୯୧,୨୭୧ କୋଟି ଟଙ୍କା ହୋଇଛି। ରିଲାଏନ୍ସ ରିଟେଲ୍ର ଲାଭ ୨୩% ବୃଦ୍ଧି ପାଇଥିବା ବେଳେ ଜିଓର ଲାଭ ୮.୯% ବଢ଼ିଛି।