ନୂଆଦିଲ୍ଲୀ: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା କହିଛନ୍ତି। ଦେଶବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ଯେ ଚାଉଳ ହେଉ ଅଥବା ଗହମ, ଡାଲି, ଚଣା, ମସୁର ଓ ମୁଗ ସବୁ କିଛି ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ପରିମାଣରେ ରହିଛି। କୌଣସି ଜିନିଷର କିଛି ବି ଅଭାବ ନାହିଁ। ତେଣୁ ଭୟରେ ବଜାରକୁ ଯାଇ ଖାଦ୍ୟ ସାମଗ୍ରୀ କିଣିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଲୋକମାନଙ୍କୁ କହିଛନ୍ତି।
ମହଜୁଦକାରୀ, କଳାବଜାରୀ ପାଇଁ କାର୍ଯ୍ୟାନୁଷ୍ଠାନ ଚେତାବନୀ
ଯୁଦ୍ଧ ପାଇଁ ଖାଦ୍ୟ ପାନୀୟର ଅଭାବ ଦେଖାଦେବ ବୋଲି ଅନେକ ମିଥ୍ୟା ପ୍ରଚାର ଚାଲିଛି। ସେଭଳି ଗୁଜବକୁ ବିଶ୍ବାସ ନ କରିବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଦେଶରେ ଖାଦ୍ୟର ଅଭାବ ଦେଖାଦେଲାଣି ବୋଲି ଗୁଜବ ପ୍ରଚାର ହେଉଛି। ସେଭଳି ପ୍ରଚାରରେ ବିଶ୍ବାସ କରନ୍ତୁ ନାହିଁ। ଆମ ପାଖରେ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଶସ୍ୟ ରହିଛି। ଆଇନ ପ୍ରଣୟନକାରୀ ଏଜେନ୍ସିମାନଙ୍କ ସହ ସହଯୋଗ କରିବା ଲାଗି ସେ ବ୍ୟବସାୟୀ, ପାଇକାରୀ ଓ ଖୁଚୁରା ବିକ୍ରେତା ଓ ବ୍ୟବସାୟୀମାନଙ୍କୁ କହିଛନ୍ତି। ଯେଉଁମାନେ ସ୍ଥିତିର ଫାଇଦା ଉଠାଇ ଜିନିଷ ମହଜୁଦ ରଖିବେ କିମ୍ବା କଳାବଜାରୀ କରିବାକୁ ଉଦ୍ୟମ କରିବେ ସେମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଥିବା ବ୍ୟବସ୍ଥା ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅଧିକ ଖାଦ୍ୟ ପଦାର୍ଥ କିଣିବାର କୌଣସି ଆବଶ୍ୟକତା ନାହିଁ: ବ୍ୟବସାୟୀ ମହାସଂଘ
ଭୁବନେଶ୍ବର: ରାଜ୍ୟରେ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ। ସମସ୍ତ ଜିନିଷ ପ୍ରଚୁର ମାତ୍ରାରେ ବଜାରେ ଉପଲବ୍ଧ ରହିଛି। ସରକାରଙ୍କ ପାଖରେ ମଧ୍ୟ ପର୍ଯ୍ୟାପ୍ତ ଶସ୍ୟ ରହିଛି। ତେଣୁ କୌଣସି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ଜିନିଷ କିଣି ମହଜୁଦ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘର ସଚିବ ପ୍ରବୀଣ ଖଣ୍ଡେଲୱାଲ ଓ ଜାତୀୟ ଅଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲଙ୍କ ଆହ୍ବାନକୁ ସମର୍ଥନ କରି ସେ କହିଛନ୍ତି ଯେ ଏହି ସଙ୍କଟ ସମୟରେ ଦେଶର ସମସ୍ତ ବ୍ୟବସାୟୀ ଭାରତୀୟ ସେନା ସହ ଠିଆ ହୋଇଛି। ବ୍ୟବସାୟୀମାନେ ଅର୍ଥନୀତିରେ ସେନାର ଭୂମିକା ନିର୍ବାହ କରିବେ। କୌଣସି ପରିସ୍ଥିତିରେ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ବଜାର ସମ୍ପର୍କିତ ନିଷ୍ପତ୍ତି ନେବାରୁ ବିରତ ରହିବା ଓ ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ରାଜ୍ୟର ବ୍ୟବସାୟୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ସାଇବର୍ ଆକ୍ରମଣ ପ୍ରତି ସତର୍କ ରହିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଥିବାରୁ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଉପରେ ସାଇବର ଆକ୍ରମଣ ଆଶଙ୍କା ବଢ଼ିଯାଇଛି। ଏଭଳି ସମ୍ଭାବ୍ୟ ଆକ୍ରମଣ ପ୍ରତି ସତର୍କ ରହିବାକୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ଓ ତାହା ଉପରେ ଚବିଶ ଘଣ୍ଟା ନଜର ରଖିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏଟିଏମ୍ରେ ସର୍ବଦା ଟଙ୍କା ରହିବା, ନିରବଚ୍ଛିନ୍ନ ୟୁପିଆଇ କାରବାର, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସେମାନଙ୍କୁ କୁହାଯାଇଛି। ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ବ୍ୟାଙ୍କଗୁଡ଼ିକୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସୀତାରମଣ କହିଛନ୍ତି।
ଓଡ଼ିଶାରେ ତେଲର କୌଣସି ସମସ୍ୟା ନାହିଁ: ପେଟ୍ରୋଲିୟମ୍ ଡିଲର ସଂଘ
ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ୍କୁ ନେଇ ଯେତେ ସବୁ ପ୍ରଚାର ଓ ଆଲୋଚନା ହେଉଛି, ସବୁ କିଛି ଗୁଜବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ମହାସଚିବ ସଞ୍ଜୟ ଲାଠ୍ କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ତେଲକୁ ନେଇ କୌଣସି ସମସ୍ୟା ନାହିଁ। ସ୍ଥିତି ପୂର୍ବରୁ ଯାହା ଥିଲା ଏବେବି ସେଇଆ ରହିଛି। କେହି ଚିନ୍ତା କରିବାର କିଛି କାରଣ ନାହିଁ। ପେଟ୍ରୋଲ୍ ପମ୍ପରେ ୟୁପିଆଇ କାରବାର ହେବନି ସମ୍ପର୍କିତ ଖବର ଉପରେ ମତ ଦେଇ ସେ କହିଛନ୍ତି ଯେ କେବଳ ମହାରାଷ୍ଟ୍ରର ପୁଣେରେ ଘଟିଥିବା ଏକ ଘଟଣା ସହ ଏହାର ସମ୍ପର୍କ ରହିଛି। ଅନ୍ୟ ଜଣକ ଭୁଲ ପାଇଁ ପେଟ୍ରୋଲ ପମ୍ପ ଆକାଉଣ୍ଟ ସିଲ୍ କରାଯିବ ଭଳି ଘଟଣାକୁ ସେଠାକାର ତୈଳ ଡିଲରମାନେ ତୀବ୍ର ବିରୋଧ କରି ୟୁପିଆଇ ପେମେଣ୍ଟ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କିମ୍ବା ସାରା ଦେଶ ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।