ନୂଆଦିଲ୍ଲୀ: ଅଳ୍ପ କିଛି ସଂଖ୍ୟକ ଚାକିରି ଲାଗି ଆବେଦନ କରିବାକୁ ହଜାର ହଜାର ଆଶାୟୀଙ୍କ ଭିଡ଼ ଦୃଶ୍ୟ ଭାରତରେ କିଛି ନୂଆ କଥା ନୁହେଁ। ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ ସମସ୍ୟା ଚଳିତ ବର୍ଷ ଲୋକସଭା ନିର୍ବାଚନର ଏକ ପ୍ରମୁଖ ପ୍ରସଙ୍ଗ ଥିଲ। କିନ୍ତୁ ସଂସଦରେ ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଦେଶରେ ଆଦୌଁ ବେକାରୀ ନାହିଁ। ଚାକିରି ବିଷୟରେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

Advertisment

ଲୋକସଭା ପ୍ରଶ୍ନକାଳରେ ମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ଯେ ୨୦୧୭-୧୮ରେ ଦେଶର ବେକାରୀ ହାର ୬ ପ୍ରତିଶତ ଥିଲା। ତାହା ଏବେ ୩.୨ ପ୍ରତିଶତକୁ ହ୍ରାସ ପାଇଛି। ଭବିଷ୍ୟତରେ ଏହି ହାରକୁ ୩ ପ୍ରତିଶତରୁ କମ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି, ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ପ୍ରଭାବରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ୪୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୨୦୧୭-୧୮ରେ ୩୮ ପ୍ରତିଶତ ଥିଲା। ସେହିପରି କର୍ମଜୀବୀ ଅନୁପାତ ମଧ୍ୟ ସମାନ ସମୟରେ ୩୧ ପ୍ରତିଶତରୁ ବୃଦ୍ଧି ପାଇ ୪୦ ପ୍ରତିଶତ ହୋଇଛି। ଦେଶରେ ଛଟେଇକୁ ନେଇ କୌଣସି ଚିନ୍ତା ନାହିଁ। ଚାକିରିର କୌଣସି ଅଭାବ ନାହିଁ ବୋଲି ସେ କହିଛନ୍ତି। ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଯୁକ୍ତିକୁ ନେଇ ତିନିଟି ନୂଆ ସ୍କିମ୍‌ ଘୋଷଣା କରିଛନ୍ତି। ସେଥିରୁ ଗୁରୁତ୍ବପୂର୍ଣ୍ଣ ସ୍କିମ୍‌ଟି ହେଉଛି ଚାକିରିରେ ନୂଆ କରି ଯୋଗଦେଉଥିବା କର୍ମଚାରୀମାନଙ୍କ ଏକ ମାସର ଦରମା ସରକାର ବହନ କରିବେ। ସେମାନଙ୍କ ଇପିଏଫ୍ ଅବଦାନ ହିସାବରେ ସେହି ଟଙ୍କା ଦିଆଯିବ। ସେହିପରି ନିଯୁକ୍ତିଦାତାମାନଙ୍କୁ ଇପିଏଫ୍ ଅବଦାନ ଫେରସ୍ତ ଲାଗି ମଧ୍ୟ ସ୍କିମ୍‌ ଘୋଷଣା କରାଯାଇଛି। ଏହି ଅଭିଯାନ ଜରିଆରେ ଦେଶରେ ୫୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ ଓ ୩୦ ଲକ୍ଷ ଯୁବକଯୁବତୀ ଉପକୃତ ହେବେ ବୋଲି ସରକାର ଭାବୁଛନ୍ତି।

ଏହା ବ୍ୟତୀତ ମଡେଲ୍‌ ଦକ୍ଷତା ଋଣ ସ୍କିମ୍‌ ମଧ୍ୟ ଘୋଷଣା ହୋଇଛି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଗ୍ୟାରେଣ୍ଟି ଆଧାର‌ରେ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ବର୍ଷକୁ ୨୫ ହଜାର ଛାତ୍ରଛାତ୍ରୀ ଏହା ଦ୍ବାରା ଉପକୃତ ହେବେ। ଦେଶ ଭିତର ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବଜେଟ୍‌ରେ ଘୋଷଣା ହୋଇଛି। ଏହି ସ୍କିମ୍‌ରେ ୧ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।