କଳିଙ୍ଗନଗରରେ ହେବ ୨ ଡାଉନ୍‌ଷ୍ଟ୍ରିମ୍ ପାର୍କ‌: ଜେଏସ୍‌ଏଲ୍‌ ଷ୍ଟେନ୍‌ଲେସ୍‌ ପାର୍କ, ଟାଟା କରିବ ଷ୍ଟିଲ୍‌ ପାର୍କ

ଯାଜପୁର/ବ୍ୟାସନଗର: ‌ଦେଶର ଷ୍ଟିଲ୍‌ ହବ୍ ହେବାକୁ ଯାଉଥିବା କଳିଙ୍ଗନଗରରେ ୨ଟି ଡାଉନ୍‌ଷ୍ଟ୍ରିମ୍ ପାର୍କ ସ୍ଥାପନ କରାଯିବ। ୩୦୦ ଏକର ଜମିରେ ଷ୍ଟେନଲେସ୍ ପାର୍କର କରି ଜେଏସ୍‌ଏଲ ଓ ଷ୍ଟିଲ ପାର୍କ ନିର୍ମାଣ କରିବ ଟାଟା। ଏହା ବ୍ୟତୀତ ସଂରକ୍ଷିତ ରହିଥିବା ୨ଶହ ଏକର ଜମିକୁ ଅନ୍ୟମାନେ ବ୍ୟବହାର କରିପାରିବେ। ବିଶେଷ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ଶିଳ୍ପାୟନର ବିକାଶ ପାଇଁ ଡିଷ୍ଟ୍ରିକ୍ ଇନଭେଷ୍ଟ‌ମେଣ୍ଟ ପ୍ରମୋସନ ସେକ୍ଟର ଏଜେନ୍ସିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ରହିବେ ବୋଲି ଯାଜପୁର ରୋଡ୍‌ର ଏକ ହୋଟେଲ୍‌ରେ ଅନୁଷ୍ଠିତ ଦିନିଆ ଇଣ୍ଡଷ୍ଟ୍ରି କେୟାର ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି କହିଛନ୍ତି। ଏଥିରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ଷୁଦ୍ର ମଧ୍ୟମ ଶିଳ୍ପର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଇଡ୍‌କୋ ଏମ୍‌ଡି ଭୂପିନ୍ଦର ସିଂହ ପୁନିଆ, ଶିଳ୍ପ ନିର୍ଦ୍ଦେଶକ ସାଦିକ୍ ଆଲାମ୍, ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ୍‌ପି ରାହୁଲ ପିଆର୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ଏଥିରେ ୨୫ଟି ବୃହତ ଶିଳ୍ପାନୁଷ୍ଠାନ ଓ ୫୦ଟି ଏମ୍‌ଏସ୍‌ଏମ୍‌ଇ ଶିଳ୍ପାନୁଷ୍ଠାନର ଅଧିକାରୀମାନେ ମଧ୍ୟ ଭାଗ ନେଇଥିଲେ। ୧୩ ହଜାର ହେକ୍ଟର ଜମିକୁ ନେଇ ଗଢ଼ି ଉଠିଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏବେ ୧୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ ୫ରୁ୧୦ବର୍ଷ ମଧ୍ୟରେ ତାହା ୩୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ବିଦ୍ୟୁତ୍‌ ଓ ବ୍ୟାଙ୍କ୍‌ ଜନିତ ସମସ୍ୟା ଉପରେ ଆଲୋଚନା ହୋଇ ସମାଧାନର ବାଟ ବାହାର କରାଯାଇଛି। କୃଷି, ସ୍ବାସ୍ଥ୍ୟ, ନିର୍ମାଣ କାର୍ଯ୍ୟକୁ ଜିଲ୍ଲାପାଳମାନେ ସ‌ଂଯୋଜନା କରୁଥିବାରୁ ଓଡ଼ିଶା ଦେଶରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ସେଥି ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏବେ ଶିଳ୍ପାୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଷ୍ଟ୍ରିକ୍ ଇନଭେଷ୍ଟ‌ମେଣ୍ଟ ପ୍ରମୋସନ ସେକ୍ଟର ଏଜେନ୍ସି ଗଠନ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର