୩ ଥାକିଆ ହେବ ଜିଏସ୍‌ଟି! କ୍ଷତିପୂରଣ ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ଚିନ୍ତିତ

୫% ଓ ୧୨%କୁ ମିଶାଇ ଦିଆଯାଇପାରେ

ନୂଆଦିଲ୍ଲୀ: ଦେଶରେ ୨୦୧୭ ଜୁଲାଇ ପହିଲାରେ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗୁ ହୋଇଥିଲା। ଆସନ୍ତାବର୍ଷ ଜିଏସ୍‌ଟିକୁ ପାଞ୍ଚବର୍ଷ ପୂରଣ ହେବ। ୫ ବର୍ଷ ପୂରଣ ହେବା ପରେ ଜିଏସ୍‌ଟି ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଅନୁମାନ କରାଯାଉଛି। ରାଜ୍ୟମାନଙ୍କୁ ଜିଏସ୍‌ଟି ଲାଗୁ ଜନିତ କ୍ଷତିପୂରଣ ୫ ବର୍ଷ ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା। ତେଣୁ ଆସନ୍ତା ଜୁଲାଇରୁ ଏହି କ୍ଷତିପୂରଣ ବନ୍ଦ ହୋଇଯାଇପାରେ। ଏହି ରାଶି ବନ୍ଦ ହେବାକୁ ଥିବାରୁ ରାଜ୍ୟଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଏଥିସହିତ ଜିଏସ୍‌ଟି ସ୍ଲାବରେ ପୁନର୍ଗଠନ କରାଯାଇପାରେ। ଜିଏସ୍‌ଟି ପରିସର ବାହାରେ ବର୍ତ୍ତମାନ ଥିବା କେତେକ ସାମଗ୍ରୀ ଓ ସେବାକୁ ଜିଏସ୍‌ଟି ପରିସରକୁ ଅଣାଯାଇପାରେ।
ଜିଏସ୍‌ଟି ହାର ବର୍ତ୍ତମାନ ୪ ଥାକିଆ ରହିଛି। ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ ହେଉଛି। ପରିବର୍ତ୍ତିତ ବ୍ୟବସ୍ଥାରେ ଜିଏସ୍‌ଟି ହାର ୩ ଥାକିଆ ହୋଇପାରେ। ଜିଏସ୍‌ଟି ବ୍ୟବସ୍ଥାକୁ ସରଳ କରିବା ସହିତ ରାଜସ୍ବ ଆଦାୟ ରାଶିକୁ ବଢ଼ାଇବା ଲକ୍ଷ୍ୟରେ ଏହା କରାଯିବ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀଗୋଷ୍ଠୀ ବୈଠକରେ କେତେକ ପ୍ରସ୍ତାବ ଖୁବଶୀଘ୍ର ଆଲୋଚନା ହୋଇପାରେ। ଏହି କମିଟି ଯେଉଁ ସୁପାରିସ କରିବ ତାହାକୁ ଆସନ୍ତା ଜିଏସଟି ପରିଷଦ ବୈଠକରେ ବିଚାର କରାଯିବ।ଜିଏସ୍‌ଟି ପରିଷଦର ପୂର୍ବ ବୈଠକରେ ରାଜସ୍ବର ବିଭିନ୍ନ ସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ତେଣୁ ଆସନ୍ତା ଜୁଲାଇ ପରେ ରାଜ୍ୟଗୁଡ଼ିକ ପରିସ୍ଥିତିକୁ କିଭଳି ସାମ୍ନା କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପରିଷଦ ନିକଟରେ ଗୋଟିଏ ବିକଳ୍ପ ରହିବ ୫ ପ୍ରତିଶତ ଏବଂ ୧୨ ପ୍ରତିଶତକୁ ମିଶାଇ ଗୋଟିଏ ହାର କରାଯାଇପାରେ। ଏଥିସହିତ ୧୮ ଏବଂ ୨୮ ପ୍ରତିଶତ ହାରକୁ ରଖାଯାଇପାରେ। ଏ ନେଇ ଆଲୋଚନା ଜାରି ରହିଛି। ସଂପ୍ରତି ମାସିକ ଜିଏସଟି ଆଦାୟ ବଢ଼ୁଥିବାରୁ ହାରରେ ପରିବର୍ତ୍ତନ ଆଶା କରାଯାଉଛି। ୪ଟି ପ୍ରମୁଖ ହାର ବ୍ୟତୀତ ସୁନା ଉପରେ ୦.୨୫ ପ୍ରତିଶତ ଏବଂ ମୂଲ୍ୟବାନ ପ୍ରସ୍ତର ଉପରେ ୩ ପ୍ରତିଶତ ଜିଏସଟି ଆଦାୟ ହେଉଛି। ଏହାବ୍ୟତୀତ ଅଟୋମୋବାଇଲ ଆଦି କ୍ଷେତ୍ରରେ କ୍ଷତିପୂରଣ ସେସ୍ ଆଦାୟ କରାଯାଉଛି। ଅନ୍ୟପକ୍ଷରେ ପାଖାପାଖି ୧୫୦ଟି ସାମଗ୍ରୀ ଏବଂ ୮୦ଟି ସେବା ଉପରେ ଜିଏସ୍‌ଟି ଆଦାୟ କରାଯାଉନାହିଁ। ଉଲ୍ଲେଖଯୋଗ୍ୟ କପଡ଼ା, ପୋଷାକ ଏବଂ ଚପଲ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ ପ୍ରତିଶତକୁ ଆସନ୍ତାବର୍ଷରୁ ବଢ଼ାଯିବ ବୋଲି ସିବିଆଇସି ନିକଟରେ ବିଜ୍ଞପ୍ତି ଜାରି କରିଛି।

ସମ୍ବନ୍ଧିତ ଖବର