ପାରାଦୀପରେ ହେବ ମାଛଧରା ପୋତାଶ୍ରୟ, ଲଘୁ ଜଳଚେସନକୁ ଦୁଇ ଗୁଣା ପାଣ୍ଠି

ଆର୍‌ଆଇଡିଏଫ୍‌ ବ୍ୟୟବରାଦ ୩୩% ବୃଦ୍ଧି, ୧୬.୫ ଲକ୍ଷ କୋଟିର କୃଷି ଋଣ ଦିଆଯିବ

ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ କ୍ଷେତ୍ରକୁ ଅଧିକ ଋଣ ଦିଆଯିବ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ପାଇଁ ୩୩% ଅଧିକ ଟଙ୍କା ଅର୍ଥାତ ୪୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଲଘୁ ଜଳସେଚନ ପାଣ୍ଠିକୁ ଦ୍ବିଗୁଣିତ କରାଯାଇଛି। ନାବାର୍ଡ ଅଧୀନରେ ୫୦୦୦ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯିବ। ପରର୍ବତୀ ସମୟରେ ଏଥିପାଇଁ ଆଉ ୫୦୦୦ କୋଟି ଟଙ୍କା ଦିଆଯିବ। ଟପସ୍ ସ୍କିମ୍‌ରେ ଆଉ ୨୨ ପ୍ରକାର ନଷ୍ଟ ହୋଇଯାଉଥିବା ସାମଗ୍ରୀ ଅନ୍ତର୍ଭୁକ୍ତ କରାଯିବ। ଇ-ନାମ୍ ସହିତ ଆଉ ୧୦୦୦ଟି ମଣ୍ଡିକୁ ଯୋଡ଼ାଯିବ। ଏପିଏମ୍‌ସିଗୁଡ଼ିକ କୃଷି ଭିତ୍ତିଭୂମି ପାଣ୍ଠିରୁ ଟଙ୍କା ଆଣି ନିଜର ଭିତ୍ତିଭୁମି ଦୃଢ଼ କରିପାରିବେ। କୋଚି, ଚେନ୍ନାଇ, ବିଶାଖାପାଟଣା‌, ପାରାଦୀପ ଓ ପେଟୁଆଘାଟରେ ପାଞ୍ଚଟି ପ୍ରମୁଖ ଫିସିଂ ହାର୍ବର (ମାଛଧରା ପୋତାଶ୍ରୟ) ବିକଶିତ କରାଯିବ। ଏହା ବ୍ୟତୀତ ନଦୀ ଓ ଜଳପଥ କୂଳରେ ମଧ୍ୟ ଇନ୍‌ଲ୍ୟାଣ୍ଡ୍‌ ଫିସିଂ ହାର୍ବର ଓ ଫିସ୍‌-ଲ୍ୟାଣ୍ଡିଂ ସେଣ୍ଟର୍‌ ସ୍ଥାପନ କରିବାର ପ୍ରସ୍ତାବ ରହିଛି। ତାମିଲନାଡୁରେ ଏକ ମଲ୍‌ଟି-ପରପସ୍ ସିୱିଡ୍ ପାର୍କ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର