ଭୁବନେଶ୍ବର: ଖୋର୍ଦ୍ଧାର ଡେରାସ୍ଠାରେ ସ୍ଥାପନ କରାଯାଇଥିବା ସିଫୁଡ୍ (ସାମୁଦ୍ରିକ ଖାଦ୍ୟ) ପାର୍କ ଭଳି ରାଜ୍ୟରେ ଆଉ ଏକ ପାର୍କ ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ପଶ୍ଚିମ ଓଡ଼ିଶାରେ ସେଭଳି ଏକ ପାର୍କ ସ୍ଥାପନ କରିବା ଯୋଜନା ରହିଛି ବୋଲି ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ କହିଛନ୍ତି। ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ଏହି ପାର୍କ ସ୍ଥାପନ କରାଯିବ ତାହା ଜଣାପଡ଼ିନାହିଁ। ସେ କହିଛନ୍ତି ଯେ ରାଜ୍ୟରେ ମଧୁର ଜଳ ମତ୍ସ୍ୟଚାଷ ଓ ସିଫୁଡ୍ ପ୍ରକ୍ରିୟାକରଣ ଓ ରପ୍ତାନିର ବ୍ୟାପକ ସୁଯୋଗ ରହିଛି। ରାଜ୍ୟରେ ୪୮୦ କିଲୋମିଟରରୁ ଅଧିକ ବେଳାଭୂମି ଯୋଗୁଁ ପର୍ଯ୍ୟାପ୍ତ ପରିମାଣର ସିଫୁଡ୍ ଉତ୍ପାଦନ ହେବାର ସମ୍ଭାବନା ଥିବା ବେଳେ ବନ୍ଦରଗୁଡ଼ିକ ଜରିଆରେ ତାହାକୁ ପ୍ରକ୍ରିୟାକରଣ କରି ରପ୍ତାନି କରିବାର ସୁଯୋଗ ରହିଛି। ସିଫୁଡ୍ ପାର୍କରେ ପୁଞ୍ଜିନିବେଶ କରିବା ଲାଗି ସେ ପ୍ରକ୍ରିୟାକରଣକାରୀ, ରପ୍ତାନିକାରୀ ଓ ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ନିବେଶକମାନଙ୍କୁ ଅତ୍ୟାଧୁନିକ ଭିତ୍ତିଭୂମି, ପ୍ରଯୁକ୍ତି ଓ ସହାୟତା ସେବା ଯୋଗାଇ ଦିଆଯିବ। ସିଫୁଡ୍ ପାର୍କରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। ବିଶେଷ କରି ମହିଳାମାନଙ୍କୁ ସେଥିରେ ବ୍ୟାପକ କର୍ମନିଯୁକ୍ତି ମିଳିବ। ମହିଳାମାନଙ୍କ ରହଣୀ ପାଇଁ ସରକାର ନିଜ ଆଡ଼ୁ ହଷ୍ଟେଲ୍ ନିର୍ମାଣ କରୁଛନ୍ତି।
ଡେରାସ ସିଫୁଡ୍ ପାର୍କ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ୨୦୨୧ରେ ଏହି ପାର୍କ ଆରମ୍ଭ ହେବା ପରଠାରୁ ତିନିଟି ୟୁନିଟ୍ ସ୍ଥାପନ କରାଯାଇଥିବା ବେଳେ ଆଉ ଚାରିଟି ୟୁନିଟ୍ ନିର୍ମାଣ କରାଯାଉଛି। ଅନ୍ୟ ସାତଟି ୟୁନିଟ୍ ମଞ୍ଜୁରି ହାସଲ ପ୍ରକ୍ରିୟାରେ ରହିଛନ୍ତି। ୯୦ ଏକର ଜମିରେ ପାର୍କ ସ୍ଥାପନ କରାଯାଇଥିବା ବେଳେ ୧୪ଟି କମ୍ପାନି ୫୦ ଏକର ଜାଗା ନେଇଛନ୍ତି। ସେଠାରେ ଆଉ ୨୦ଟି କମ୍ପାନି ପାଇଁ ଜମି ରହିଥିବା ଶ୍ରୀ ପୁନିଆ କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣକୁ ରାଜ୍ୟ ସରକାର ଏକ ଅଗ୍ରାଧିକାର କ୍ଷେତ୍ର ଭାବେ ଦେଖୁଥିବା ବେଳେ ଓଡ଼ିଶା ଶିଳ୍ପ ନୀତିରେ ନିବେଶକମାନଙ୍କୁ ପୁଞ୍ଜି ନିବେଶ ଉପରେ ୨୦ ପ୍ରତିଶତ ସବ୍ସିଡି ଦେବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସରକାର ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ, ଶୀତଳଭଣ୍ଡାର, ବ୍ଲକ୍ ଆଇସ୍, ପଲିଥିନ୍ ୟୁନିଟ୍ ଓ ପ୍ୟାକେଜିଂ ୟୁନିଟ୍ ଭଳି ସୁବିଧା ପ୍ରଦାନ କରୁଛନ୍ତି। ସିଫୁଡ୍ ପାର୍କର ୯୦ ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା। ସେଥିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲେ ପାଞ୍ଚ ବର୍ଷ ପାଇଁ ସେମାନଙ୍କ ଇପିଏଫ୍ ଓ ଇଏସ୍ଆଇ ଅବଦାନ ରାଶି ରାଜ୍ୟ ସରକାର କମ୍ପାନିକୁ ଫେରସ୍ତ କରୁଛନ୍ତି।