ଯାତ୍ରୀ, ମାଲ ପରିବହନରୁ ଅଧିକ ଆୟ ହେବ

ନୂଆଦିଲ୍ଲୀ: କରୋନା ମହମାରୀ ସମୟରେ ରେଳବାଇର ଯାତ୍ରୀ ପରିବହନ ସେବା ପ୍ରାୟତଃ ଠପ୍ ହୋଇଯାଇଥିଲା। ଏଥିଯୋଗୁ ରେଳବାଇ ଯାତ୍ରୀ ପରିବହନ ବାବଦରେ ଆଦାୟ କରୁଥିବା ରାଶି ହ୍ରାସ ପାଇଥିଲା। ୨୦୧୮-୧୯ରେ ରେଳବାଇର ଯାତ୍ରୀ ପରିବହନ ବାବଦ ରାଜସ୍ବ ୫୧,୦୬୭ କୋଟି ଟଙ୍କା ରହିଥିଲା। ଅବଶ୍ୟ ଏହାର ପରବର୍ତ୍ତୀ ୩ ବର୍ଷ ଯାକ ଯାତ୍ରୀ ପରିବହନ ରାଜସ୍ବ କମ୍ ରହିଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ଏ ବାବଦ ରାଜସ୍ବ ୬୪ ହଜାର କୋଟି ଟଙ୍କା ରହିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ମହାମାରୀ ସମୟରେ ରେଳବାଇର ମାଲ ପରିବହନ ରାଜସ୍ବ କମିନାହିଁ।

ମାଲ ମାହାସୁଲ ବାବଦରେ ରେଳବାଇ ମହାମାରୀ ପୂର୍ବବର୍ଷ ଅର୍ଥାତ୍ ୨୦୧୮-୧୯ରେ ୧.୩ ଲକ୍ଷ କୋଟି ଟଙ୍କା ଆଦାୟ କରିଥିଲା। ୨୦୨୦-୨୧ରେ ଏହା ୧.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ୨୦୨୩-୨୪ରେ ଏହା ୧.୮ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ବଜେଟରେ ଆକଳନ କରାଯାଇଛି। ତେବେ ରେଳବାଇର ପରିଚାଳନା ଅନୁପାତ ବଢ଼ିବାରେ ଲାଗିଛି। ୨୦୧୮-୧୯ରେ ରେଳବାଇକୁ ପ୍ରତି ୧୦୦ ଟଙ୍କା ରୋଜଗାର କରିବା ପାଇଁ ୯୭.୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ ଚଳିତବର୍ଷ ଏହା ୯୮.୨୨ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ୨୦୨୩-୨୪ରେ ଏହା ଆହୁରି ଅଧିକ ଅର୍ଥାତ ୯୮ ଟଙ୍କା ୪୫ ପଇସା ରହିବା ନେଇ ଆକଳନ ହୋଇଛି। ବଜେଟ୍‌ରେ ରେଳବାଇ ପାଇଁ ପୁଞ୍ଜିବ୍ୟୟ ବାବଦରେ ୨.୪ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହାମାରୀ ପୂର୍ବର ପୁଞ୍ଜିବ୍ୟୟ ତୁଳନାରେ ଏହା ଯଥେଷ୍ଟ ଅଧିକ। ଦେଶର ଅର୍ଥନୈତିକ ବିକାଶରେ ରେଳବାଇ ଇଞ୍ଜିନ ଭଳି କାମ କରିବ। ସେଥିପାଇଁ ଏହାକୁ ବଜେଟ୍‌ରେ ସରକାର ବିପୁଳ ପାଣ୍ଠି ଦେଇଛନ୍ତି।

ସମ୍ବନ୍ଧିତ ଖବର