ଚଳିତ ସପ୍ତାହରେ ଆଉ ୨ଟି ଆଇପିଓ ଆସିବ

ନୂଆଦିଲ୍ଲୀ: ଷ୍ଟକ ବଜାରରେ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)ର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ଜାରି ରହିଛି। ଚଳିତ ମାସ ୧୫ରୁ ୨୧ ତାରିଖ ମଧ୍ୟରେ ଦୁଇଟି କଂପାନି ଆଇପିଓ ଜାରି କରିବେ। ଟାର୍‌ସନ୍ସ ପ୍ରଡକ୍ଟସ୍ ଓ ଗୋ ଫେସନ୍ ପକ୍ଷରୁ ଆଇପିଓ ଜାରି କରାଯିବ। ଉଭୟ କଂପାନି ମିଳିତ ଭାବେ ୨୦୩୮ କୋଟି ଟଙ୍କା ବଜାରରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜୀବ ବିଜ୍ଞାନ ସମ୍ପର୍କିତ କଂପାନି ଟାର୍‌ସନ୍ସ ପ୍ରଡକ୍ଟସ୍‌ର ଆଇପିଓ ନଭେମ୍ବର ୧୫ରେ ଖୋଲି ୧୭ରେ ବନ୍ଦ ହେବ। ସେହିପରି ମହିଳାମାନଙ୍କ ଲାଗି ଗୋ କଲର୍ସ ନାମରେ ପୋଷାକ ତିଆରି କରୁଥିବା ସଂସ୍ଥା ଗୋ ଫେସନ୍‌ର ଆଇପିଓ ନଭେମ୍ବର ୧୭ରେ ଖୋଲି ୨୨ରେ ବନ୍ଦ ହେବ।

ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ୮ଟି କଂପାନି ଆଇପିଓ ବିଷୟରେ ଘୋଷଣା ହୋଇସାରିଛନ୍ତି। ସେଗୁଡ଼ିକ ହେଉଛି ପେଟିଏମ୍, ନାଏକା, ପଲିସିବଜାର, ପିବି ଫିନ୍‌ଟେକ୍, ଫିନୋ ପେମେଣ୍ଟ୍‌ସ ବ୍ୟାଙ୍କ, ଲାଟେଣ୍ଟ୍ ଭିଉ ଆନାଲିଟିକ୍ସ, ସାଫାୟାର ଫୁଡସ୍‌ ଇଣ୍ଡିଆ, ଏସ୍‌ଜେଏସ୍‌ ଏଣ୍ଟରପ୍ରାଇଜେସ୍‌ ଓ ସିଗାଜି ଇଣ୍ଡଷ୍ଟ୍ରିଜ୍। ପେଟିଏମ୍‌ ଆଇପିଓକୁ ନେଇ ଯଦିଓ ପୂର୍ବରୁ ଅନେକ ପ୍ରଚାର ହୋଇଥିଲା କିନ୍ତୁ ଷ୍ଟକ ବଜାରରେ କଂପାନି ପ୍ରବେଶ କରିବା ପରେ ନିବେଶକମାତେ ଅତ୍ୟନ୍ତ ସତର୍କ ହୋଇ କଂପାନିର ସେୟାର କିଣିବା ଦେଖିବାକୁ ମିଳିଥିଲା। ସବୁଠୁ ବ୍ଲକ୍‌ବଷ୍ଟର ସଫଳତା ପାଇଛି ନାଏକା। ଷ୍ଟକ ବଜାରରେ ପ୍ରବେଶ କରିବା ସହ କଂପାନିର ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍) ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଥିଲା। ଏହାର ପ୍ରତିଷ୍ଠାତା ଫାଲ୍‌ଗୁନି ନାୟାର ରାତାରାତି ବିଲିଓନେୟାର ହୋଇଯାଇଥିଲେ।

୨୦୨୧ରେ ‌ବର୍ତ୍ତମାନ ସୁଦ୍ଧା ୪୯ଟି କଂପାନି ଆଇପିଓ ଜାରି କରି ପୁଞ୍ଜି ବଜାର ଜରିଆରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ହାସଲ କରିଛନ୍ତି। ୨୦୨୦ରେ ମାତ୍ର ୧୫ଟି ସଂସ୍ଥା ଆଇପିଓ ଜାରି କରି ୨୬,୬୧୧ କୋଟି ଟଙ୍କା ହାସଲ କରିଥିଲେ। ଚଳିତ ବର୍ଷ କିନ୍ତୁ ରେକର୍ଡ ସଂଖ୍ୟକ ଆଇପିଓ ଜାରି ହୋଇଛି। ମୋବାଇଲ୍ ଆପ୍ ଜରିଆରେ ଷ୍ଟକ ବଜାରରେ ନିବେଶ କରିବା ସହଜ ହୋଇଥିବାରୁ ଖୁଚୁରା ନିବେଶକ ବା ସାଧାରଣ ଲୋକମାନେ ମଧ୍ୟ ବିଭିନ୍ନ ସଂସ୍ଥାର ସେୟାର କିଣିବାକୁ ପଛାଉନାହାନ୍ତି। ସେମାନଙ୍କ ମଧ୍ୟରେ ଆଇପିଓଗୁଡ଼ିକୁ ନେଇ ଉତ୍ସାହ ରହିଛି। ଶେଷ ଥର ଲାଗି ୨୦୧୭ରେ ଆଇପିଓକୁ ନେଇ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିଥିଲା। ସେହି ବର୍ଷ ୩୬ଟି କଂପାନି ଆଇପିଓ ଜରିଆରେ ୬୭,୧୪୭ କୋଟି ଟଙ୍କା ହାସଲ କରିଥିଲେ।

ସମ୍ବନ୍ଧିତ ଖବର