ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌, ବାୟୁ ପ୍ରଦୂଷଣ ମାନକ କୋହଳ ହେବ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ନେଇ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ନିମନ୍ତେ ଯେଉଁ ମାନକ ରହିଛି ତାହାକୁ ଆହୁରି କୋହଳ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଏହା ହେଲେ ଅଧିକ ମାତ୍ରାରେ ପାୱାର ପ୍ଲାଣ୍ଟ୍ ଥିବା ଓଡ଼ିଶା ଭଳି ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଓଡ଼ିଶାରେ ବହୁସଂଖ୍ୟକ ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ ରହିଛି। ଏନ୍‌ଟିପିସି, ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌, ଜିଏମ୍‌ଆର୍‌ କମଳାଙ୍ଗ, ଓପିଜିସି ଓ ବେଦାନ୍ତର ବଡ଼ ବଡ଼ ପାୱାର ପ୍ଲାଣ୍ଟ୍‌ ରାଜ୍ୟରେ ରହିଛି। ଏହା ବ୍ୟତୀତ ଅନେକ ରାଷ୍ଟ୍ରାୟତ୍ତ ଓ ଘରୋଇ କଂପାନି ନିଜର କାରଖାନାର ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଲାଗି କ୍ୟା‌ପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିଛନ୍ତି।

ପାୱାର ପ୍ଲାଣ୍ଟ୍‌ରୁ ବାହାରୁ ଥିବା ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ର ମାତ୍ରାକୁ ବଢ଼ାଇବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଚାହୁଛି। ୨୦୦୩ରୁ ୨୦୧୬ ଭିତରେ ସ୍ଥାପନ କରାଯାଇଥିବା ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ନିମନ୍ତେ ବାୟୁ ପ୍ରଦୂଷଣର ମାତ୍ରାକୁ ବର୍ତ୍ତମାନର ୩୦୦ ଗ୍ରାମ୍/ନର୍ମାଲ୍ କ୍ୟୁବିକ୍ ମିଟର୍‌ରୁ ବଢ଼ାଇ ୪୫୦ ଗ୍ରାମ୍/ନର୍ମାଲ୍ କ୍ୟୁବିକ୍ ମିଟର୍‌ କରିବାକୁ ସରକାର ଚାହୁଛନ୍ତି। କେବଳ ସେତିକି ନୁହେଁ, ବାୟୁ ପ୍ରଦୂଷଣ ମାନକକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାର ସମୟ ସୀମାକୁ ମଧ୍ୟ ସରକାର ପାଞ୍ଚ ବର୍ଷ ଘୁଞ୍ଚାଇ ଦେଇଛନ୍ତି। ଏହା ୨୦୧୭ରୁ ଲାଗୁ ହେବାର ଥିଲା। ମାତ୍ର ସରକାର ସେହି ମହଲତକୁ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ବାୟୁ ପ୍ରଦୂଷଣ ମାନକ କୋହଳ କରିବାକୁ ନେଇ ଶକ୍ତି ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। କିନ୍ତୁ ଶେଷରେ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବ ଗ୍ରହଣୀୟ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ପ୍ରାରମ୍ଭରେ ଏହି ପ୍ରସ୍ତାବକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ଭିତରେ ମତଭେଦ ରହିଥିଲା। କିନ୍ତୁ ୨୦୧୯ ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟରୁ ଜଣାପଡ଼ିଛି ଯେ ସମସ୍ତ ଅଂଶୀଦାରଙ୍କ ଭିତରେ ଏନେଇ ସହମତି ପ୍ରକାଶ ପାଇଛି। ଶକ୍ତି ମନ୍ତ୍ରଣାଳୟ ଚାହୁଛି କାର୍ଯ୍ୟକ୍ଷମ ଥିବା ଏକଂ ନିର୍ମାଣାଧୀନ ଥିବା ସବୁ ପାୱାର ପ୍ଲାଣ୍ଟ୍‌ ପାଇଁ ବାୟୁ ପ୍ରଦୂଷଣର ମାନକ ୪୫୦ ଗ୍ରାମ୍/ନର୍ମାଲ୍ କ୍ୟୁବିକ୍ ମିଟର୍‌କୁ ବୃଦ୍ଧି ପାଉ। ଏନ୍‌ଟିପିସି ତରଫରୁ କରାଯାଇଥିବା ଏକ ପରୀକ୍ଷଣ ପରେ ଏହି ମାନକ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଦେଶର ଅଧିକାଂଶ ପାୱାର ପ୍ଲାଣ୍ଟ୍‌ ଧାର୍ଯ୍ୟ ମାନକ ଠାରୁ କମ୍ ବାୟୁ ପ୍ରଦୂଷଣ କରୁଛନ୍ତି। ଏନ୍‌ଟିପିସି ଯେଉଁ ପାଇଲଟ୍‌ ସର୍ବେକ୍ଷଣ କରିଥିଲା ତାହାର ରିପୋର୍ଟକୁ ତିନି ମାସ ଭିତରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ବିଶେଷଜ୍ଞଙ୍କ ନାପସନ୍ଦ
ପାୱାର ପ୍ଲାଣ୍ଟ୍‌ରୁ ବାୟୁ ପ୍ରଦୂଷଣ ମାନକକୁ ବଢ଼ାଇବା ଲାଗି ଶକ୍ତି ମନ୍ତ୍ରଣାଳୟ ଯେଉଁ ଲକ୍ଷ୍ୟ ରଖିଛି ତାହାକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି। ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିର ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ଠିକ୍ ପଦକ୍ଷେପ ନୁହେଁ ବୋଲି ସେମାନେ ଭାବୁଛନ୍ତି। ସରକାର ଯେଉଁ ନିୟମ କାର୍ଯ୍ୟକାରୀ କରିବାକୁ ଚାହୁଛନ୍ତି ତାହା ବ୍ରିଟେନ, ୟୁରୋପ, ଆମେରିକା, ଚୀନ ଓ ଜାପାନରେ କାର୍ଯ୍ୟକାରୀ କରାଯାଇଥିବା ନିୟମ ତୁଳନାରେ ଅତ୍ୟନ୍ତ କୋହଳ। ଯେହେତୁ ଭାରତର ଶକ୍ତି ଆବଶ୍ୟକତା ଅନ୍ୟ ଦେଶମାନଙ୍କ ଠାରୁ ଅଧିକ, ତେଣୁ ଏଠାରେ ପ୍ରଦୂଷଣ ନିୟମ ଅଧିକ କଠୋର ହେବା ଉଚିତ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର