ସାଧାରଣ ଦିଶୁଥିବା ଏହି ଚପଲର ଦାମ ୪୫ ହଜାର ଟଙ୍କା; ନିଜର ମାରୁତି କାର୍‌ ବିକି ଏହାକୁ କିଣିଲେ ଗ୍ରାହକ

ଜୋତା ନୁହେଁ, ଚପଲ ସର୍ବାଧିକ ଆପଣ କେତେ ଟଙ୍କା ଦେଇ କିଣିଥିବେ? ୫୦୦, ୧୦୦୦, ୫୦୦୦ ନା ୧୦,୦୦୦? ଦେଶରେ ଅଧାରୁ ଅଧିକ ସଂଖ୍ୟକ ଲୋକ ହୁଏତ ଏହି ପରିମାଣ ଡେଇଁ ଚପଲ କିଣିନଥିବେ। ଆମ ଦେଶର ଅଧିକାଂଶ ଲୋକଙ୍କ ମାସିକ ଦରମା ବି ୧୦,୦୦୦ ଭିତରେ। ତେବେ, ଆପଣଙ୍କୁ ଯଦି ୪୫,୦୦୦ ଟଙ୍କା ବ୍ୟୟ କରି ଏକ ଚପଲ କିଣିବାକୁ ପରାମର୍ଶ ଦିଆଯାଏ ଆପଣ କ’ଣ କରିବେ? ଦିଆଯାଏ ନୁହେଁ, ବରଂ ଦିଆଯାଇଛି କହିଲେ ଠିକ୍‌ ହେବ।

ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜୋନ୍‌ରେ ଏବେ ଏକ ଏପରି ଚପଲ ଉପଲବ୍ଧ, ଯାହାର ଦର ୪୫,୦୦୦ ଟଙ୍କା। ଚପଲଟି ଦେଖିବାକୁ ଏକଦମ ସାଧାସିଧା। ଚପଲକୁ ଦେଖି କେହି କେବେ ତା’ର ଦର ଏତେ ହୋଇଥାଇ ପାରେ ବୋଲି କଳ୍ପନା ବି କରିପାରିବେ ନାହିଁ।

ହାଭାଇଆନ୍ସ ସହ ମିଳିତ ଭାବେ ଭାଲେଣ୍ଟିନୋ କମ୍ପାନି ଏହି ଚପଲଟି ନିକଟରେ ବାହାର କରିଛି। ଏହି ବିଳାଶମୟ ଫ୍ଲିପ୍‌-ଫ୍ଲପ୍‌ ଚପଲକୁ ଜଣେ ଗ୍ରାହାକ ସର୍ବାଧିକ ୩ ହଳ କିଣି ପାରିବେ ବୋଲି ଉଲ୍ଲେଖ କରାଯାଇଛି।

ଚପଲଟିକୁ ଗ୍ରାହକ ଚାହିଁଲେ କିସ୍ତି ଅନୁସାରେ ବି କିଣିପାରିବେ। ୨,୧୩୭ ଟଙ୍କାରୁ ଏହାର କିସ୍ତି ଆରମ୍ଭ। ଡେଲିଭରି ଚାର୍ଜ ରହିଛି ୭୬୬ ଟଙ୍କା।

ଚପଟଟିର ସ୍ୱତନ୍ତ୍ରତା ହେଉଛି ଏଥିରେ ଆର୍ମି କାମୋପ୍ଲାଗ ରବର୍‌ ସୋଲ୍‌, ଫୁକ୍‌ସିଆ ରବର୍‌ ଷ୍ଟାପ୍‌ ବ୍ୟତୀତ ସହରଠାରୁ ଦୂରରେ ଥିବା କୌଣସି ସମୁଦ୍ରକୂଳରେ ଚାଲିବା ପାଇଁ ଯାହା ଆବଶ୍ୟକ ସେ ସବୁ ଉପାଦାନ ରହିଛି।

ତେବେ ଏହି ଚପଲଟିର ଗ୍ରାହକ ରିଭ୍ୟୁ ବି ଏକଦମ ଜବର୍‌ଦସ୍ତ ଆସିଛି। ଗ୍ରାହକମାନେ ଏହାକୁ କିଣି ବ୍ୟବହାର କରିବା ପରେ ଏହାର ଖୁବ୍‌ ପ୍ରଶଂସା କରିଛନ୍ତି। ଜଣେ ଗ୍ରାହକ ଲେଖିଛନ୍ତି କି ଏହି ଚପଲ କିଣିବା ପାଇଁ ସେ ତାଙ୍କର ମାରୁତି ୮୦୦କୁ ବିକ୍ରି କରିଦେଲେ। ଗାଡ଼ି ଚଲାଇବା ଅପେକ୍ଷା ଚାଲିବା ଶ୍ରେୟସ୍କର ଜେଣୁ, ଏହି ଚପଲ କିଣି ସେ ବେଶ୍‌ ସନ୍ତୁଷ୍ଟା।

ସମ୍ବନ୍ଧିତ ଖବର