ଭୁବନେଶ୍ବ: ରାଜଧାନୀ ଭୁବନେଶ୍ବର ଏକ ପ୍ରମୁଖ ସୂଚନା ପ୍ରଯୁକ୍ତି ଓ ଡିଜିଟାଲ୍ ହବ୍ରେ ପରିଣତ ହୋଇଛି। ରାଜ୍ୟ ସରକାର ଭୁବନେଶ୍ବର ବାହାରେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ପରବର୍ତ୍ତୀ ଡିଜିଟାଲ୍ ହବ୍ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଟାଇ ଭୁବନେଶ୍ବର ପକ୍ଷରୁ ଆୟୋଜିତ ଟାଇକନ୍-୨୦୨୫ର ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନିଜସ୍ବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ନୀତି ଘୋଷଣା କରିଛି। ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି), ଚିପ୍ ଡିଜାଇନ୍, ବ୍ଲକ୍ଚେନ୍ ଓ ଏଆଇ ଗବେଷଣାରେ ଓଡ଼ିଶା ଅଗ୍ରଣୀ ଭାବେ ଉଭା ହୋଇଛି। ଏହା ନବସୃଜନ ହବ୍ରେ ପରିଣତ ହୋଇଛି। ତେଣୁ ଓଡ଼ିଶାରେ ନିବେଶ କରି ଏହାର ଅଭିବୃଦ୍ଧି କାହାଣୀର ସହଯୋଗୀ ହେବାକୁ ସେ ଉଦ୍ୟୋଗୀମାନଙ୍କୁ କହିଛନ୍ତି। ଓଡ଼ିଶାରେ ନିବେଶ କର ଓ ଆମ ସହିତ ଆଗକୁ ବଢ଼। ଥରେ ଓଡ଼ିଶା ଆସିଲେ ତାହା ଆପଣମାନଙ୍କୁ ଏହା ଦ୍ବିତୀୟ ଘର ଭଳି ଲାଗିବ। ଆସନ୍ତୁ ମିଳିତ ଭାବେ ଓଡ଼ିଶାକୁ ପୂର୍ବ ଭାରତର ଉଦ୍ୟମିତା ରାଜଧାନୀରେ ପରିଣତ କରିବା ବୋଲି ସେ ଉଦ୍ୟୋଗୀମାନଙ୍କୁ କହିଛନ୍ତି।
ତାଲିକାରେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର
ନିବେଶ କର, ଓଡ଼ିଶା ସହ ଆଗକୁ ବଢ଼: ମୁଖ୍ୟମନ୍ତ୍ରୀ
ସ୍ବାସ୍ଥ୍ୟସେବାରେ ନୂଆ ଏଆଇ ପ୍ରକଳ୍ପ ଶୀଘ୍ର: ଡ. ମହାଲିଙ୍ଗ
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରାଜ୍ୟର କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କିଭଳି ଏଆଇ ବ୍ୟବହାର ହେଉଛି ତାହା ଉପରେ ଆଲୋକପାତ କରିଥିଲେ। କୋରାପୁଟ କଫିର ନିରୀକ୍ଷଣ ଲାଗି ଏଆଇ ଆଧାରିତ ସମାଧାନ ଆରମ୍ଭ କରାଯାଇଥିବା ସୂଚନା ଦେଇଥିଲେ। ମାତୃ ମୃତ୍ୟୁହାର (ଏମ୍ଏମ୍ଆର୍), ଶିଶୁ ମୃତ୍ୟୁହାର (ସିଏମ୍ଆର୍), ଅପପୁଷ୍ଟି ଭଳି ସ୍ବାସ୍ଥ୍ୟ ଫଳାଫଳର ନିରୀକ୍ଷଣ କରିବା ଲାଗି ଖୁବ୍ଶୀଘ୍ର ଏଆଇ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ-ଆଇଆଇଟି ଭୁବନେଶ୍ବର; ଓକାକ୍-ଏସ୍ଏଫ୍ଏଏଲ୍ ଏବଂ ଇଏସ୍ସି ଓଡ଼ିଶା-ହିଟାଚି ଏମ୍ଜିଆର୍ଏମ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ବେହେରା, ସାଂସଦ ସୁଜିତ କୁମାର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ଟାଇ ଭୁବନେଶ୍ବରର ସଭାପତି ଅୟସ୍କାନ୍ତ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।