ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକବର୍ଷ ‌ସୋମବାର ଶେଷ ହେବ। ଏପ୍ରିଲ ପହିଲାରୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବ। ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସ୍‌ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ। ଟିକସଦାତାଙ୍କ ସମେତ ନାଗରିକମାନେ ଏହାଦ୍ବାରା ପ୍ରଭାବିତ ହେବେ। 
ଆୟକର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏଥିଯୋଗୁ ନୂଆ ଟିକସ ସ୍ଲାବ୍‌ ଏବଂ ହାର କାର୍ଯ୍ୟକାରୀ ହେବ। ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ। ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ।  
ୟୁପିଆଇ 
ୟୁନାଇଟେଡ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ)ର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) କେତେକ ନୂଆ ନିୟମ ଆସନ୍ତା ପହିଲାରୁ ଲାଗୁ କରିବ। ଏହାଦ୍ବାରା ନିଷ୍କ୍ରିୟ ମୋବାଇଲ ‌ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ। ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡ଼ିକୁ ବାଦ୍‌ ଦେବା ପାଇଁ ଏନ୍‌ପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନପେ, ଗୁଗଲ୍‌ପେ ଆଦି ସଂସ୍ଥାକୁ କୁହାଯାଇଛି। 
କ୍ରେଡିଟ୍‌ କାର୍ଡ 
କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍‌ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବ। ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ। 
ୟୁପିଏସ୍‌
୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍‌ (ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌) ଘୋଷଣା କରିଥିଲେ। ଆସନ୍ତା ଏପ୍ରିଲ ପହିଲାରୁ ପୁରୁଣା ପେନସନ୍‌ ସ୍କିମ୍‌ (ଓପିଏସ୍‌) ବଦଳରେ ୟୁପିଏସ୍‌ କାର୍ଯ୍ୟକାରୀ ହେବ। ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ। ଏହି ନିୟମ ଅନୁଯାୟୀ, ଅତିକମ୍‌ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନସନ୍‌ ପାଇବେ। 
ଜିଏସ୍‌ଟି
ଏପ୍ରିଲ ପହିଲାରୁ ଜିଏସ୍‌ଟି ନିୟମ ବଦଳିଯିବ। ଜିଏସ୍‌ଟି ପୋର୍ଟାଲରେ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ୍‌ (ଏମ୍‌ଏଫ୍‌ଏ)କୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍‌ ପାଇଁ ଇ-ୱେବିଲ୍‌ ସୃଷ୍ଟି କରାଯାଇ ପାରିବ।
ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା
ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ। ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।