ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ହେବ ବୋଲି ଘୋଷଣା ହେବା ପରେ ଦେଶର ପେଟ୍ରୋଲ୍ ପମ୍ପ୍ଗୁଡ଼ିକରେ ଭିନ୍ନ ପ୍ରକାର ସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ କିଛି ଲୋକ ଦୁଇ ହଜାର ଟଙ୍କିଆ ନୋଟ୍ ଆଣି ୧୦୦-୨୦୦ ଟଙ୍କାର ତେଲ ମାଗୁଛନ୍ତି। ଫଳରେ ପେଟ୍ରୋଲ୍ ପମ୍ପ୍ଗୁଡ଼ିକ ଅକଳରେ ପଡ଼ିଯାଇଛନ୍ତି। ଏତେ ବଡ଼ ନୋଟ୍କୁ ବଦଳ କରିବା ଲାଗି ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅନ୍ୟ ନୋଟ୍ ନାହିଁ। ଯେହେତୁ ୨୦୦୦ ଟଙ୍କିଆ ପ୍ରଚଳନରେ ରହିଛି ତେଣୁ ସେମାନେ ତାହାକୁ ପ୍ରତ୍ୟାଖ୍ୟାନ କରିପାରୁନାହାନ୍ତି। କିନ୍ତୁ ବଦଳ ନୋଟ୍ ଯୋଗାଡ଼ ବି କରିପାରୁନାହାନ୍ତି। ଗତ ଦୁଇ ଦିନରେ ନଗଦ ଦେଇ ତେଲ ପକାଇବାରେ ବୃଦ୍ଧି ଘଟିଛି। ମୋଟ ତେଲ ବିକ୍ରିର ୯୦ ପ୍ରତିଶତ ପେମେଣ୍ଟ୍ ନଗଦରେ ହେଉଛି। ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ଯେ ଦେଶର କେତେକ ସ୍ଥାନରେ ଏଭଳି ଘଟଣା ଘଟିଥିବାର ଖବର ଆସିଛି। ଯଦି କେହି ଏତେ ବଡ଼ ନୋଟ୍ ଦେଇ ୧୦୦-୨୦୦ ଟଙ୍କାର ତେଲ ପକାଇବେ ତାଙ୍କୁ ଅବଶିଷ୍ଟ ଟଙ୍କା ଫେରାଇବା କଷ୍ଟକର। ଏବେବି ପେଟ୍ରୋଲ୍ ପମ୍ପ୍କୁ ଆସୁଥିବା ଦୁଇ ହଜାର ଟଙ୍କିଆ ନୋଟ୍ ଏତେ ଅଧିକ ନାହିଁ। କାଁ ଭାଁ ସେଭଳି ଘଟଣା ଘଟୁଛି। ବିପୁଳ ପରିମାଣର ୨୦୦୦ ଟଙ୍କିଆ ଆଣି କେହି ତେଲ ପକାଇବା ଲାଗି ଦାବି କରିଥିବା ଭଳି ଘଟଣା ସାମ୍ନାକୁ ଆସିନଥିବା ସେ କହିଛନ୍ତି।
ଜମୋଟୋରେ ଖାଦ୍ୟ ମଗାଇ ୨୦୦୦ ଟଙ୍କିଆ ଦେଉଛନ୍ତି
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ରଖିଥିବା ଲୋକମାନେ ତାହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିବାରେ ଲାଗିଛନ୍ତି। ଖାଦ୍ୟ ଡେଲିଭରି କରୁଥିବା ଜୋମୋଟୋରେ ଗତ ଦୁଇ ଦିନରେ ୨୦୦୦ ଟଙ୍କିଆରେ ପେମେଣ୍ଟ୍ କରୁଥିବା ଗ୍ରାହକମାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଜୋମାଟୋର କ୍ୟାସ୍ ଅନ୍ ଡେଲିଭରି (ସିଓଡି)ର ୭୨ ପ୍ରତିଶତ ପେମେଣ୍ଟ୍ ୨୦୦୦ ଟଙ୍କିଆରେ ହୋଇଛି।