ପାଇକାରୀ ବଜାରରେ ବି ଜିନିଷ ଶସ୍ତା: ପାଇକାରୀ ମୁଦ୍ରାସ୍ଫୀତି -୦.୯୨%କୁ ଖସିଲା

୨୦୨୦ ଜୁଲାଇ ପରେ ପ୍ରଥମ

ନୂଆଦିଲ୍ଲୀ: ଅଶୋଧିତ, ଶକ୍ତି, ଅଣ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦେଶର ପାଇକାରୀ ମୁଦ୍ରାସ୍ଫୀତି ହାର ଏପ୍ରିଲ୍‌ରେ -୦.୯୨ ପ୍ରତିଶତକୁ ହ୍ରାସ ପାଇଛି। ଗତ ମାର୍ଚ୍ଚରେ ତାହା ୧.୩୪ ପ୍ରତିଶତ ଥିଲା। ଲଗାତାର ୧୧ ମାସ ଲାଗି ମୁଦ୍ରାସ୍ଫୀତି ହାର ତଳକୁ ଖସିଛି। ୨୦୨୦ ଜୁଲାଇ ପରେ ପ୍ରଥମ ଥର ଲାଗି ପାଇକାରୀ ମୁଦ୍ରାସ୍ଫୀତି ଏଭଳି ସ୍ତରରେ ରହିଛି।

ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ ତଥ୍ୟ ଅନୁସାରେ ଏପ୍ରିଲ୍‌ରେ ପ୍ରମୁଖ ସାମଗ୍ରୀଗୁଡ଼ିକର ସୂଚୀ ୧.୬୦ ପ୍ରତିଶତକୁ ହ୍ରାସ ପାଇଛି। ଇନ୍ଧନ ଓ ଶକ୍ତି ମୁଦ୍ରାସ୍ଫୀତି ୦.୯୩ ପ୍ରତିଶତ, ଉତ୍ପାଦନ କରାଯାଉଥିବା ସାମଗ୍ରୀର ମୂଲ୍ୟ ସୂଚୀ -୨.୪୨ ପ୍ରତିଶତକୁ ହ୍ରାସ ପାଇଛି। ଦୀର୍ଘ ୩୩ ମାସ ପରେ ପ୍ରଥମ ଥର ଲାଗି ପାଇକାରୀ ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ସ୍ତରକୁ ଖସିଛି। ମୌଳିକ ଧାତବ ପଦାର୍ଥ, ରସା‌ୟନ, ବୟନ ଓ ଉତ୍ପାଦନ କରାଯାଉଥିବା ଖାଦ୍ୟ ସାମଗ୍ରୀ ଦାମ୍‌ କମ୍ ରହିବା ଯୋଗୁଁ ବିଭିନ୍ନ ସାମଗ୍ରୀ ମୂଲ୍ୟ ହ୍ରାସପାଇଛି। ଏଲ୍‌ପିଜି, କିରାସିନି ଓ ଅନ୍ୟାନ୍ୟ ଖଣିଜ ତୈଳ ମୂଲ୍ୟ କମିଥିବାରୁ ଇନ୍ଧନ ଓ ଶକ୍ତି ମୁଦ୍ରାସ୍ଫୀତି ମଧ୍ୟ ୧ ପ୍ରତିଶତ ତଳକୁ ଖସିଆସିଛି।

ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ପାଇକାରୀ ମୁଦ୍ରାସ୍ଫୀତି ହାର ଆଉ ୨-୩ ମାସ ଏଭଳି ବିଯୁକ୍ତାତ୍ମକ ସ୍ତରରେ ରହିବ। ବର୍ଷତମାମ ପାଇଁ ଏହି ହାର ୧-୨ ପ୍ରତିଶତ ଭିତରେ ରହିପାରେ। ପାଇକାରୀ ମୂଲ୍ୟ ହ୍ରାସ ପାଉଥିବାରୁ ଖୁଚୁରା ମୂଲ୍ୟ ବି କମିବ। ଚଳିତ ବର୍ଷ ଏପ୍ରିଲ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୪.୭ ପ୍ରତିଶତକୁ ହ୍ରାସ ପାଇଛି ଯାହା ୧୮ ମାସରେ ସବୁଠୁ କମ୍। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ସୀମା ରେଖା ମଧ୍ୟରେ ରହିଛି। ତେଣୁ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ସୁଧ ହ୍ରାସ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ମଧ୍ୟରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କକୁ ସରକାର ଦାୟିତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର