ତିନି ଦିନ ହେଲା ବଢ଼ୁଛି ତେଲ ଦର

ନୂଆଦିଲ୍ଲୀ: ୩୬ ଦିନର ବିରତି ପରେ ଲଗାତାର ଗତ ୩ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଗତ ଗୁରୁବାର ବା ୫ ତାରିଖଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିବାରେ ଲାଗିଛି। ଦେଶର ୪ଟି ଯାକ ମହାନଗରରେ ପେଟ୍ରୋଲ ଦର ଦିନକୁ ଲିଟର ପିଛା ପ୍ରାୟ ୧୩ ପଇସା ବୃଦ୍ଧି ଘଟୁଥିବା ବେଳେ ଡିଜେଲ ଦର ୧୦ରୁ ୧୧ ପଇସା ଲେଖାଏଁ ବଢ଼ୁଛି। ଶନିବାର ସରକାରୀ ତେଲ କମ୍ପାନି ଗୁଡ଼ିକ ପୁଣି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ୭୫ ଟଙ୍କା ୯୮ ପଇସାରେ ପହଞ୍ଚି ଯାଇଛି। ସେହିଭଳି ମୁମ୍ବାଇରେ ୮୩ ଟଙ୍କା ୩୭ ପଇସାରେ, କୋଲକାତାରେ ୭୮ ଟଙ୍କା ୬୬ ପଇସାରେ ଏବଂ ଚେନ୍ନାଇରେ ୭୮ ଟଙ୍କା ୮୫ ପଇସାରେ ପେଟ୍ରୋଲ ଦର ପହଞ୍ଚି ଯାଇଛି। ଦିଲ୍ଲୀରେ ଶନିବାର ଡିଜେଲର ଲିଟର ପିଛା ଦର ୬୭ ଟଙ୍କା ୭୬ ପଇସାରେ ପହଞ୍ଚିଛି। ସେହିଭଳି ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୭୧ ଟଙ୍କା ୯୦ ପଇସା, ୭୦ ଟଙ୍କା ୩୧ ପଇସା ଏବଂ ୭୧ ଟଙ୍କା ୫୨ ପଇସାରେ ପହଞ୍ଚିଛି। ଗତ ଶୁକ୍ରବାର ପେଟ୍ରୋଲ ଦର ଲିଟର ପିଛା ୧୪ରୁ ୧୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ ଦର ୧୬ରୁ ୧୮ ପଇସା ମଧ୍ୟରେ ବୃଦ୍ଧି ଘଟିଥିଲା। ସେହିଭଳି ଗୁରୁବାର ଦିନ ମହାନଗର ଗୁଡ଼ିକରେ ପେଟ୍ରୋଲ ଦର ଲିଟର ପିଛା ୧୬ରୁ ୧୭ ପଇସା ଏବଂ ଡିଜେଲ ଦର ୧୦ରୁ ୧୨ ପଇସା ବୃଦ୍ଧି ଘଟିଥିଲା। ଗତ ମେ ୨୯ ତାରିଖରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିଲା। କିନ୍ତୁ ମେ ୩୦ ତାରିଖରୁ ଏହା କମିବା ଆରମ୍ଭ କରିଥିଲା। ମେ ୩୦ ତାରିଖ ପରଠାରୁ ଇତି ମଧ୍ୟରେ ପେଟ୍ରୋଲ ଦର ୨୨ ଥର ଏବଂ ଡିଜେଲ ଦର ୧୮ ଥର କମିଛି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୮୮ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୯୩ ପଇସା କମିଥିଲା। ଶେଷ ଥର ପାଇଁ ଗତ ଜୁନ୍‌ ୨୬ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୧୪ରୁ ୧୮ ପଇସା ପର୍ଯ୍ୟନ୍ତ ହ୍ରାସ କରାଯାଇ ଥିବାବେଳେ ଡିଜେଲ ଦର ୧୦ରୁ ୧୨ ପଇସା ପର୍ଯ୍ୟନ୍ତ ହ୍ରାସ ଘଟିଥିଲା।

ଭୁବନେଶ୍ୱରରେ ଚତୁର୍ଥ ଦିନ ପାଇଁ ବଢ଼ିଲା
ଭୁବନେଶ୍ୱର: ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ଚତୁର୍ଥ ଦିନ ପାଇଁ ମଧ୍ୟ ବୃଦ୍ଧି ପାଇଛି। ଗତ ୪ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୩୮ ପଇସା ରହିଥିଲା। କିନ୍ତୁ ୫ ତାରିଖଠାରୁ ଏହା ବଢ଼ିବାରେ ଲାଗିଛି । ୫ ତାରିଖରୁ ୮ ତାରିଖ ମଧ୍ୟରେ ପେଟ୍ରୋଲ ଦର ୫୭ ପଇସା ମହଙ୍ଗା ହୋଇଛି। ଫଳରେ ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୯୫ ପଇସାରେ ପହଞ୍ଚି ଯାଇଛି। ସେହିଭଳି ଡିଜେଲ ଦର ଗତ ୪ ତାରିଖରେ ୭୨ ଟଙ୍କା ୨୨ ପଇସା ଥିଲା। କିନ୍ତୁ ୫ ତାରିଖରୁ ୮ ତାରିଖ ମଧ୍ୟରେ ଡିଜେଲ ଦରରେ ୫୨ ପଇସା ବୃଦ୍ଧି ଘଟିଲାଣି। ଫଳରେ ରବିବାର ଭୁବନେଶ୍ୱରରେ ଲିଟର ପିଛା ଡିଜେଲ ଦର ୭୨ ଟଙ୍କା ୭୪ ପଇସାରେ ପହଞ୍ଚି ଯାଇଛି। ପୂର୍ବରୁ ଗତ ମେ ମାସ ୨୯ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ସର୍ବାଧିକ ୭୭ ଟଙ୍କା ୨୩ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୩୦ ପଇସା ଛୁଇଁଥିଲା।

ସମ୍ବନ୍ଧିତ ଖବର