ନୂଆଦିଲ୍ଲୀ: ଭାରତ ଗତ କିଛି ବର୍ଷ ହେଲା ସୁନା କିଣିବା ଉପରେ ଅଧିକ ଧ୍ୟାନ ଦେଉଛି। ଏଥିଯୋଗୁ ଭାରତରେ ସୁନା ଭଣ୍ଡାର ବଢ଼ିବାରେ ଲାଗିଛି। ୱାର୍ଲଡ ଗୋଲ୍‌ଡ କାଉନସିଲର ରିପୋର୍ଟ ଅନୁଯାୟୀ, ଗତ ମେ ମାସ‌ରେ ଭାରତ ବିଶ୍ବରେ ତୃତୀୟ ସର୍ବାଧିକ ସୁନା କିଣିଛି। ଆଲୋଚ୍ୟ ମାସରେ ଭାରତ ୭୨୨ କୋଟି ଟଙ୍କାର ସୁନା କ୍ରୟ କରିଛି। ପରିମାଣ ହିସାବରେ ଦେଖିଲେ ଏହା ୪୫.୯ ଟନ। ଭାରତ ତୁଳନାରେ ବିଶ୍ବର ଦୁଇଟି ଦେଶ ଅଧିକ ସୁନା କିଣିଛନ୍ତି। ସେମାନେ ହେଲେ ସ୍ବିଜରଲ୍ୟାଣ୍ଡ ଏବଂ ଚୀନ। ସ୍ବିଜରଲାଣ୍ଡ ମେ ମାସରେ ସର୍ବାଧିକ ୩୧୨.୪ ଟନ ସୁନା କିଣିଛି। ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଏହା ପ୍ରାୟ ୨୪୬୧ କୋଟି ଟଙ୍କା ହେବ। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଚୀନ ରହିଛି। ଚୀନ ୮୬.୮ ଟନ୍ ସୁନା ମେ ମାସରେ କିଣିଛି। ମୂଲ୍ୟ ହିସାବରେ ଏହା ୨୧୦୯ କୋଟି ଟଙ୍କା। ଗତ କିଛିବର୍ଷ ହେଲା ଭାରତରେ ସୁନା ଭଣ୍ଡାର ବଢ଼ିବାରେ ଲାଗିଛି। ୨୦୧୯ ମାର୍ଚ୍ଚରେ ଦେଶରେ ୬୧୮.୨ ଟନ ସୁନା ଥିବାବେଳେ ୨୦୨୪ ମାର୍ଚ୍ଚରେ ଏହା ୮୨୨.୧ ଟନରେ ପହଞ୍ଚିଯାଇଛି। ଅର୍ଥାତ ଗତ ୫ ବର୍ଷ ମଧ୍ୟ‌ରେ ଭାରତର ସୁନା ଭଣ୍ଡାରରେ ୩୩ ପ୍ରତିଶତ ବୃଦ୍ଧି ଘଟିଛି। ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ ଯେ ବିଦେଶୀ ମୁଦ୍ରା ଭଣ୍ଡାରକୁ ସ୍ଥିରତା ଦେବା ଲାଗି ଅଧିକ ମାତ୍ରାରେ ସୁନା କ୍ରୟ କରାଯାଉଛି। ଉଲ୍ଲେଖଯୋଗ୍ୟ, ସୁନାକୁ ନିବେଶର ଏକ ବଳିଷ୍ଠ ମାଧ୍ୟମ ଭାବେ ଲୋକମାନେ ବହୁ ବର୍ଷ ହେଲା ବିବେଚନା କରି ଆସୁଛନ୍ତି। ଆଜି ମଧ୍ୟ ଏହି ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶେଷକରି ବିଶ୍ବରେ ଭୂରାଜନୈତିକ ଅସ୍ଥିରତା ଦେଖାଦେବା ସମୟରେ ସୁନାକୁ ଏକ ଉତ୍ତମ ନିବେଶ ମାଧ୍ୟମ ଭାବେ ବିବେଚନା କରାଯାଉଛି।