ନୂଆଦିଲ୍ଲୀ: ତୃତୀୟ ପକ୍ଷ ଗାଡ଼ି ବୀମାର ପ୍ରିମିୟମ୍ ବଢ଼ାଇବା ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍ଡିଏଆଇ) ଗୁରୁତ୍ବର ସହ ବିଚାର କରୁଛନ୍ତି। ବିଭିନ୍ନ ପ୍ରକାର ଗାଡ଼ି ପାଇଁ ପ୍ରିମିୟମ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ବାଣିଜ୍ୟିକ ଯାନ ଭଳି ବର୍ଗରେ ପ୍ରିମିୟମ୍ ଅଧିକ ବଢ଼ିବ। କିନ୍ତୁ ସ୍କୁଲ୍ ବସ୍ ଭଳି ଗାଡ଼ିଗୁଡ଼ିକର ପ୍ରିମିୟମ୍ରେ କମ୍ ବୃଦ୍ଧି ଘଟିବ। ଆବଶ୍ୟକ ହେଲେ ଏହି ବର୍ଗର ଗାଡ଼ିଗୁଡ଼ିକ ଲାଗି ପ୍ରିମିୟମ୍ରେ କୌଣସି ବୃଦ୍ଧି କରାଯିବ ନାହିଁ। ତୃତୀୟ ପକ୍ଷ ବୀମା ପ୍ରିମିୟମ୍କୁ ଚଳିତ ବର୍ଷ ଅକ୍ଟୋବରରୁ କିମ୍ବା ୨୦୨୬ ଜାନୁଆରି ୧ରୁ ଲାଗୁ କରିବା ଉପରେ ଆଲୋଚନା କରାଯାଉଛି। କୋଭିଡ୍ ମହାମାରୀ ସମୟରେ ବ୍ୟାପକ ଦାବି ଆସିବା ପରେ ବୀମା କମ୍ପାନିଗୁଡ଼ିକ ଚାପରେ ରହିଛନ୍ତି।
ସେଥିପାଇଁ ପ୍ରିମିୟମ୍ରେ ଅନ୍ତତଃ ୫-୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେଉ ବୋଲି ସେମାନେ ଚାହୁଛନ୍ତି। ବର୍ତ୍ତମାନ ବାଣିଜ୍ୟିକ ଯାନ ଓ ଜିନିଷ ପରିବହନରେ ବ୍ୟବହୃତ ହେଉଥିବା ୧୦୦୦ ସିସିରୁ କମ୍ ଇଞ୍ଜିନ କ୍ଷମତାର ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ୨୧୦୦ ଟଙ୍କା ରହିଛି। ୧୦୦୦-୧୫୦୦ ସିସି କାର୍ ପାଇଁ ସେହି ପ୍ରିମିୟମ୍ ୩୪୦୦ ଟଙ୍କା ମଧ୍ୟରେ ରହିଛି। ଉଭୟ ବର୍ଗ ଗାଡ଼ି ପାଇଁ ପ୍ରିମିୟମ୍ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ଏହି ବୃଦ୍ଧି ଦ୍ବାରା ବାଣିଜ୍ୟିକ ଯାନଗୁଡ଼ିକ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି।