ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଲଢ଼େଇ ଲଢ଼ୁଥିବା ଚୀନ୍ରୁ ଅନେକ କଂପାନି ନିଜ ବ୍ୟବସାୟ ଅନ୍ୟତ୍ର ସ୍ଥାନାନ୍ତର କରିବା ଉପରେ ବିଚାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୬ଟି କଂପାନି ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି କଂପାନିଗୁଡ଼ିକ ପ୍ରକଳ୍ପ ବିକାଶ କୋଷ ବା ପିଡିସି ନିକଟକୁ ପୁଞ୍ଜିନିବେଶ ପ୍ରସ୍ତାବ ପଠାଇଛନ୍ତି। ଚୀନ୍ରେ ବ୍ୟବସାୟ କରୁଥିବା ୧୯ଟି କଂପାନି ଭାରତରେ ୧୦୦୦-୧୨୦୦ କୋଟି ଡଲାର ନିବେଶ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଆପଲ୍, ସାମସଙ୍ଗ୍, ଇଣ୍ଟେଲ୍, ୱାଲ୍ମାର୍ଟ ଓ ନାୟାରା ଏନର୍ଜି ଭାରତରେ ଅଧିକ ନିବେଶ କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ଚୀନ୍ ଛାଡ଼ିବାକୁ ଚାହୁଥିବା କଂପାନିଗୁଡ଼ିକ ଯେଉଁ ନିବେଶ ପ୍ରସ୍ତାବ ଦେଇଛନ୍ତି ତାହାକୁ ପିଡିସି ତରଫରୁ କ୍ୟାବିନେଟ୍ ସଚିବଙ୍କ ନେତୃତ୍ବାଧୀନ ସଚିବମାନଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିକଟକୁ ପଠାଇ ଦିଆଯାଇଛି। ପିଡିସିକୁ ୧୫୦ରୁ ଅଧିକ କଂପାନି ନିବେଶ ପ୍ରସ୍ତାବ ପଠାଇଛନ୍ତି। ସେମାନେ ମିଳିତ ଭାବେ ଦେଶରେ ୨୦୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିବାକୁ ଚାହୁଛନ୍ତି। ସେଥି ମଧ୍ୟରୁ ୩୬ଟି କଂପାନିର କାରବାର ଚୀନ୍ରେ ରହିଛି। ଏହା ବ୍ୟତୀତ ଆମେରିକା, ଜାପାନ, ତାଇୱାନ୍, ସିଙ୍ଗାପୁର, ବ୍ରିଟେନ, ଜର୍ମାନି ଏବଂ ଦକ୍ଷିଣ କୋରିଆର କଂପାନିଗୁଡ଼ିକ ମଧ୍ୟ ଭାରତରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି। ଭାରତର ଇଲେକ୍ଟ୍ରୋନିକ୍ସ, ଅକ୍ଷୟ ଶକ୍ତି, ଆଇଟି-ବିପିଏମ୍, ରିଟେଲ୍, ଇ-କମର୍ସ, ତୈଳ ଓ ଗ୍ୟାସ୍ ଏବଂ କଞ୍ଜ୍ୟୁମର୍ ଗୁଡସ୍ କ୍ଷେତ୍ର ପାଇଁ ଏହି ସବୁ ନିବେଶ ପ୍ରସ୍ତାବ ଆସିଛି।
ଚୀନ୍ ଛାଡ଼ି ଭାରତ ଆସିବେ ୩୬ କଂପାନି, ସରକାରଙ୍କୁ ଦେଇଛନ୍ତି ପ୍ରସ୍ତାବ
/sambad/media/post_attachments/wp-content/uploads/2017/11/company-1.jpg)
/sambad/media/agency_attachments/2024-07-24t043029592z-sambad-original.webp)