ବଜେଟ୍‌ରେ ରେଳବାଇକୁ ମିଳିବନି ଅଧିକ ପାଣ୍ଠି

ମାଗିଥିଲେ ୧୦% ବୃଦ୍ଧି, ମିଳିପାରେ ୪-୫%

ନୂଆଦିଲ୍ଲୀ: ଆଗାମୀ ବଜେଟ୍‌ରେ ଭାରତୀୟ ରେଳକୁ ଅଧିକ ପାଣ୍ଠି ମିଳିବ ନାହିଁ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସଙ୍କେତ ପ୍ରଦାନ କରାଯାଇଛି। ବଜେଟ୍‌ରେ ବ୍ୟୟବରାଦ ପରିମାଣ ୮-୧୦ ପ୍ରତିଶତ ବଢ଼ାଇବା ପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଥିଲା ଯାହାକୁ ଅର୍ଥ ମନ୍ତ୍ରଣାଳୟ ଖାରଜ କରିଦେଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରେଳକୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବ୍ୟୟବରାଦରେ ୪ ପ୍ରତିଶତ ବୃଦ୍ଧି କରାଯିବ। ଯଦି ରେଳବାଇ ଅଧିକ ପାଣ୍ଠି ଆବଶ୍ୟକ କରୁଛି ତେବେ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ ଏବଂ ଅନ୍ୟାନ୍ୟ ରାଜସ୍ୱ ବିକଳ୍ପ ଉପରେ ଏହାକୁ ଧ୍ୟାନ ଦେବାକୁ ପଡ଼ିବ। ବୁଧବାର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ରେଳ ବୋର୍ଡର ବୈଠକ ବସିଥିଲା। ସେଥିରେ ବଜେଟ୍‌ରେ ରେଳବାଇକୁ କଣ ମିଳିବ ସେ ନେଇ ଆଲୋଚନା ହୋଇଥିଲା। ୨୦୧୭-୧୮ ବଜେଟ୍‌ରେ ରେଳବାଇକୁ ୫୫ ହଜାର କୋଟି ଟଙ୍କା ମିଳିଥିଲା। ବ୍ୟୟବରାଦରେ ଯଦି ଅର୍ଥ ମନ୍ତ୍ରଣାଳୟ ୪-୫% ବୃଦ୍ଧି କରିବ ତେବେ ରେଳବାଇକୁ ଏତେ ଅଧିକ ପାଣ୍ଠି ମିଳିବ ନାହିଁ। ମାତ୍ର ୨୦୧୮-୧୯ରୁ ଏହାର ଅଣ ଭଡ଼ା ରାଜସ୍ୱ ଏବଂ ଷ୍ଟେସନ ବିକାଶରୁ ଅଧିକ ଆୟ ହେବାର ସମ୍ଭାବନା ରହିଛି। ତେଣୁ ରେଳବାଇକୁ ପାଣ୍ଠି ପାଇଁ ଅଧିକ ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ।

ମାତ୍ର ରେଳବାଇ ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ରେଳବାଇ ପାଇଁ ବ୍ୟୟବରାଦ ବୃଦ୍ଧି ନହେବ ତେବେ ନୂଆ ପ୍ରକଳ୍ପ ଉପରେ ତାହାର ପ୍ରଭାବ ପଡ଼ିବ। ନୂତନ ପ୍ରକଳ୍ପ ପାଇଁ ରେଳବାଇକୁ ନିଜ ଆଡୁ ପାଣ୍ଠି ଯୋଗାଡ଼ କରିବାକୁ ପଡ଼ିବ ଯାହା ଏକ କଷ୍ଟକର ବ୍ୟପାାର। ପିପିପି ମୋଡ୍‌ରୁ ଅର୍ଥ ମଧ୍ୟ ଏତେ ସହଜରେ ଆସିବ ନାହିଁ। କାରଣ ଏ ପର୍ଯ୍ୟନ୍ତ ରେଳ ବିକାଶ କର୍ତୃପକ୍ଷ ଗଠନ କରାଯାଇନାହିଁ। ଚଳିତ ବର୍ଷ ବଜେଟ୍‌ରେ ରେଳବାଇର ପୁରୁଣା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୭-୧୮ଠାରୁ ସ୍ୱତନ୍ତ୍ର ରେଳ ବଜେଟ୍‌ ଉପସ୍ଥାପନ କରିବା ପ୍ରକ୍ରିୟା ବନ୍ଦ ହୋଇଯାଇଛି। ସାଧାରଣ ବଜେଟ୍‌ରେ ରେଳ ବଜେଟ୍‌କୁ ମିଶାଇ ଦିଆଯାଇଛି। ଏଥର ମଧ୍ୟ ସେଭଳି ହେବ। ଚଳିତ ବର୍ଷ ଫେବ୍ରୁଆରି ୧ରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ।

ସମ୍ବନ୍ଧିତ ଖବର