ଚଳିତ ଆର୍ଥିକ ବର୍ଷରେ ଷ୍ଟେଟ୍‌ ବ୍ୟାଙ୍କ ଲାଭ ୬ ଗୁଣ ବଢ଼ିଲା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୩୩୭୫ କୋଟି ଟଙ୍କାର ରେକର୍ଡ ଲାଭ କରିଛି। ଏସ୍‌ବିଆଇ ଲାଇଫ୍‌ର ଅଂଶଧନ ବିକ୍ରିରୁ ହୋଇଥିବା ଆୟ ଯୋଗୁ ବ୍ୟାଙ୍କର ଲାଭ ଛଅ ଗୁଣ ବଢ଼ିଯାଇଛି। ଗତବର୍ଷ ଏହି ତିନି ମାସରେ ବ୍ୟାଙ୍କର ଲାଭ ୫୭୬.୪୬ କୋଟି ଟଙ୍କା ଥିଲା। ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଜୁଲାଇ-ସେ‌‌ପ୍ଟେମ୍ବର ଅବଧିରେ ମୋଟ ଆୟ ୮୯,୩୪୭.୯୧ କୋଟି ଟଙ୍କା ହୋଇଛି। ଏସ୍‌ବିଆଇ ଲାଇଫ୍‌ରେ ଥିବା ୪.୫% ଅଂଶଧନକୁ ବିକ୍ରି କରାଯିବା ଯୋଗୁ ବିପୁଳ ପରିମାଣର ପାଣ୍ଠି ମିଳିଥିଲା। ପୂର୍ବରୁ ବୀମା କଂପାନିରେ ଷ୍ଟେଟ୍‌ ବ୍ୟାଙ୍କର ୬୨.୧୦ ପ୍ରତିଶତ ଅଂଶଧନ ଥିଲା। ବିକ୍ରି ପରେ ସେହି ଅଂଶଧନ ପରିମାଣ ୫୭.୬୦ ପ୍ରତିଶତକୁ ହ୍ରାସ ପାଇଛି। ଏହି ତିନି ମାସରେ ଷ୍ଟେଟ୍‌ ବ୍ୟାଙ୍କ ନିଜର ଏନ୍‌ପିଏ ପରିମାରକୁ ୭.୧୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ବ୍ୟାଙ୍କର ଏନ୍‌ପିଏ ପରିମାଣ ଏବେ ୧ ଲକ୍ଷ ୬୧ ହଜାର କୋଟି ଟଙ୍କା ରହିଛି। ବର୍ଷ ପୂର୍ବରୁ ଏହା ଯଥେଷ୍ଟ ଅଧିକ ୨ ଲକ୍ଷ ୫ ହଜାର କୋଟି ଟଙ୍କା ଥିଲା। ଏନ୍‌ପିଏ କ୍ଷେତ୍ରରେ ବ୍ୟାଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ସମ୍ବନ୍ଧିତ ଖବର