ମୁମ୍ବାଇ: ରଣବୀର ସିଂ ବଲିଉଡର ସବୁଠାରୁ ସଫଳ ଏବଂ ଧନୀ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ତାଙ୍କ ବ୍ୟବସାୟରୁ ବି କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି। ଆପଣ ଜାଣିଥିବେ ଯେ ଉଦ୍ୟୋଗୀ ବିନିତା ସିଂହଙ୍କ ସୁଗାର୍‌ କସ୍‌ମେଟିକରେ ରଣବୀରଙ୍କ ପୁଞ୍ଜି ରହିଛି।

Advertisment

ରଣବୀର ସିଂଙ୍କ ବ୍ୟବସାୟିକ ସହଯୋଗୀ ତଥା ସୁଗାର କସମେଟିକ୍ସର ପ୍ରତିଷ୍ଠାତା ବିନିତା ସିଂଙ୍କୁ ଦେଶର ଅନ୍ୟତମ ସଫଳ ମହିଳା ଉଦ୍ୟୋଗୀ ବୋଲି କୁହାଯାଏ। ସେ ଏକ ବିରାଟ ସୌନ୍ଦର୍ଯ୍ୟ ବ୍ରାଣ୍ଡ ନିର୍ମାଣ କରିଥିଲେ, ଯାହାକି ପ୍ରତିବର୍ଷ ଏକ ନୂତନ ଉଚ୍ଚତାକୁ ଛୁଇଁ ଛୁଇଁ ଚାଲିଛି।

ବିନିତା ସିଂହ ଆଇଆଇଟି ମାଦ୍ରାସର ସ୍ନାତକର ଛାତ୍ରୀ, ଯିଏ ଇଞ୍ଜିନିୟରିଂ କ୍ୟାରିୟର୍‌ରେ ରୋଜଗାର କରିଥିବା ଅର୍ଥରେ ନିଜର ଏକ ଅନ୍ତବସ୍ତ୍ର କମ୍ପାନି ଆରମ୍ଭ କରିଥିଲେ। ତିନି ମାସ ପାଇଁ ଏକ ବ୍ୟାଙ୍କରେ ଇଣ୍ଟର୍ନସିପ୍ କରି ପରେ ବଡ଼ ବଡ଼ କମ୍ପାନୀଗୁଡିକ କିପରି କାର୍ଯ୍ୟ କରନ୍ତି ସେ ବିଷୟରେ ସିଂ ଅଧିକ ଜାଣିବାକୁ ନିଷ୍ପତ୍ତି ନେଇଥିଲେ।

ଇଣ୍ଟର୍ଣ୍ଣ ଭାବରେ ତାଙ୍କର ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ବ୍ୟାଙ୍କ ବିନିତା ସିଂହଙ୍କୁ ୧ କୋଟି ଟଙ୍କା ବେତନ ପ୍ୟାକେଜ୍ ସହିତ ଚାକିରି ଦେବାକୁ ନିଷ୍ପତ୍ତି ନେଇଥିଲା। ତେବେ ଉଦ୍ୟୋଗୀ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଏକ ପ୍ରସାଧନ ସାମଗ୍ରୀ ନିର୍ମାଣ କରି ନିଜର କମ୍ପାନି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରାରମ୍ଭରେ, ସୁଗାର୍‌ କସମେଟିକ୍ସ କେବଳ ଏହାର ୱେବସାଇଟ୍ ମାଧ୍ୟମରେ ବିକ୍ରି ହେଉଥିଲା। ୨୦୨୨ ମସିହାରେ ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ ଏହାର ସଫଳତା ହେତୁ କମ୍ପାନୀରେ ପୁଞ୍ଜି ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଏକ ନୂତନ ସ୍ତରକୁ ନେଇଥିଲେ। ବର୍ତ୍ତମାନ, ସୁଗାର କସମେଟିକ୍ସର ଆୟ ୩୦୦ କୋଟିରୁ ଅଧିକ ଏବଂ ଉଦ୍ୟୋଗୀଙ୍କ ନିଜସ୍ୱ ସମ୍ପତ୍ତି ହେଉଛି ୩୧୦ କୋଟି ଟଙ୍କା।