ହରିଦ୍ୱାର: ସାଧାରଣତଃ ବଜାରରେ ମିଳୁଥିବା ଗାଈ ଘିଅ ଆପଣ କିଲୋପିଛା ୪୦୦ରୁ ୫୦୦ ଟଙ୍କାରେ କିଣୁଥିବେ | କିନ୍ତୁ ଜାଣିଛନ୍ତି ଭାରତରେ ଏମିତି ଏକ ଗାଈ ରହିଛି ଯାହାର କ୍ଷୀରରେ ପ୍ରସ୍ତୁତ ଘିଅ ପାଇଁ ଆପଣଙ୍କୁ ୧ କିଲୋ ପିଛା ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ଉତ୍ତରାଖଣ୍ଡରେ ଦେଖାଯାଉଥିବା ବଦ୍ରି ପ୍ରଜାତିର ଗାଈଙ୍କ ଘିଅ ପାଇଁ ଆପଣଙ୍କୁ ୧୦ ଗୁଣ ଅଧିକ ଅର୍ଥ ଦେବାକୁ ପଡିବ | ପ୍ରକୃତରେ ବଦ୍ରି ପ୍ରଜାତିର ଗାଈ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ହିଁ ଦେଖିବାକୁ ମିଳିଥାଏ | ପୂର୍ବରୁ ଏହି ଗାଈ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଥିଲା | ଯାହାକୁ ଦେଖି ନରିଆଲଗାଓଁ ପଶୁ ପ୍ରଜନନ କେନ୍ଦ୍ର ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା |

Advertisment

publive-image Photo-Hetha

ପ୍ରଜନନ କେନ୍ଦ୍ର ପକ୍ଷରୁ କରାଯାଇଥିବା ପ୍ରୟାସ ଯୋଗୁଁ ବର୍ତ୍ତମାନ ଏହି ପ୍ରଜାତିର ୧୪୦ଟି ଗାଈ ଅଛନ୍ତି | ଏହି ଗାଈମାନେ ପ୍ରତିଦିନ ୧୨୫ ଲିଟର କ୍ଷୀର ଦେଉଥିବାବେଳେ ପୂର୍ବରୁ କ୍ଷୀର ଲିଟର ପିଛା ୨୫ ଟଙ୍କାରେ ବିକ୍ରି କରାଯାଉଥିଲା | କିନ୍ତୁ ପଶୁ ପ୍ରଜନନ କେନ୍ଦ୍ର ପକ୍ଷରୁ କରାଯାଇଥିବା ପରୀକ୍ଷାରେ ଜଣାପଡିଥିଲା ଯେ ଏହି ଗାଈର କ୍ଷୀରରେ ଏ୨ ପ୍ରୋଟିନ ସହ ପୋଷାକ ତତ୍ୱର ପରିମାଣ ଅନ୍ୟ ଗାଈଙ୍କ କ୍ଷୀର ଅପେକ୍ଷା ସର୍ବାଧିକ ରହିଥିଲା | ଏହା ଜଣାପଡିବା ପରେ ଗାଜିୟାଵାଦର ଏକ କମ୍ପାନୀ ବଦ୍ରି ଗାଈଙ୍କ କ୍ଷୀର ଲିଟର ପିଛା ୪୧ ଟଙ୍କାରେ କିଣିଥିଲା |

publive-image

ଏହି କ୍ଷୀରରୁ ନରିଆଲଗାଓଁର ସ୍ଥାନୀୟ ମହିଳାମାନେ କମ୍ପାନୀ ପାଇଁ ଦେଶୀ ଘିଅ ପ୍ରସ୍ତୁତ କରିବାକୁ ଲାଗିଥିଲେ | ଯେଉଁଥିରେ ସ୍ଥାନୀୟ ମହିଳାମାନେ ରୋଜଗାରର ନୂଆ ଆଶା ମଧ୍ୟ ପାଇଥିଲେ | ଏହି ଘିଅର ଚାହିଦା ଦେଖି କମ୍ପାନୀ ଏହାକୁ ଅନଲାଇନରେ ବିକ୍ରି କରିଥିଲା | ଧୀରେ ଧୀରେ ଏହି ଘିଅର ଲୋକପ୍ରିୟତା ମୂଲ୍ୟ ମଧ୍ୟ ବଢ଼ାଇଦେଇଥିଲା | ବର୍ତ୍ତମାନ ଏହି ଗାଈର ଘିଅ କିଲୋ ପିଛା ମୂଲ୍ୟ ୪ ହଜାର ଟଙ୍କାରେ ଉପଲବ୍ଧ ହେଉଛି | ବଡ କଥା ଯେ ଅଧିକ କ୍ଷୀର ପାଇଁ ପୂର୍ବରୁ ଏହି ଗାଁର ଲୋକମାନେ ଜର୍ସି ସହ ଅନ୍ୟ ପ୍ରଜାତିର ଗାଈ ପାଳନ କରିବାକୁ ଲାଗିଥିବାବେଳେ ଏବେ ବଦ୍ରି ଗାଈ ହିଁ ପାଳନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି |