ଷ୍ଟକ ବଜାର ପାଇଁ ଐତିହାସିକ ଦିନ

ମୁମ୍ବାଇ: ବମ୍ବେ ଷ୍ଟକ ବଜାର ଲାଗି ଆଜି ହେଉଛି ଏକ ଐତିହାସିକ ଦିନ। ପ୍ରଥମ ଥର ଲାଗି ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ଇକ୍ବିଟି ବଜାର ପୁଞ୍ଜି ୨୪୭.୩୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ତାଲିକାଭୁକ୍ତ ଥିବା ପ୍ରତି କଂପାନିର ସେୟାର ମୂଲ୍ୟ ଆଧାରରେ ସେହି କଂପାନିର ଷ୍ଟକ ବଜାର ମୂଲ୍ୟ କେତେ ତାହା ନିର୍ଧାରଣ କରାଯାଇଥାଏ। ତାହାକୁ ବଜାର ପୁଞ୍ଜି କୁହାଯାଏ। ଷ୍ଟକ ବଜାରରେ ପ୍ରବେଶ କରିଥିବା ସବୁ କଂପାନିର ବଜାର ମୂଲ୍ୟ ୨୪୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସିଇଓ ଆଶିଷ ଚୌହ୍ବାନ ଆଜି ସୂଚନା ଦେଇଛନ୍ତି। ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ମନ ଖୋଲି କାରବାର କରିଛନ୍ତି। ଏହାର ପ୍ରଭାବରେ ସେନ୍‌ସେକ୍ସ ୭୬୫ ପଏଣ୍ଟ୍‌ ଭଳି ବଡ଼ ଧରଣର ବୃଦ୍ଧି ସହ ୫୬,୯୫୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଖୁବ୍‌ଶୀଘ୍ର ଏହା ୫୭ ହଜାର ପଏଣ୍ଟ୍‌ ଅତିକ୍ରମ କରିବାର ଆଶା ସଞ୍ଚାର ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍ଟି ଆଜି ୨୨୬ ପଏଣ୍ଟ୍‌ ବୃଦ୍ଧି ସହ ୧୬,୯୩୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଆଜି ହୋଇଥିବା ବୃଦ୍ଧି ଯୋଗୁଁ ନିବେଶକଙ୍କୁ ସାଢ଼େ ତିନି ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ତିନି ଦିନରେ ନିବେଶକମାନେ ୫ ଲକ୍ଷ ୭୦ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର