ନୂଆଦିଲ୍ଲୀ: ଦେଶର ବେକାରି ହାର ଚଳିତ ବର୍ଷର ‌ଅକ୍ଟୋବର ମାସରେ ୮.୫%କୁ ବୃଦ୍ଧି ପାଇଛି। ତିନି ବର୍ଷ ଭିତରେ ବେକାରି ହାର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତରଫରୁ କୁହାଯାଇଛି। ଗତ ସେପ୍ଟେମ୍ବରରେ ବେକାରି ହାର ୭.୨% ଥିଲା। ଏହାର ମାସେ ପରେ ସେଥିରେ ବୃଦ୍ଧି ଘଟିଛି। ଶେଷ ଥର ପାଇଁ ୨୦୧୬ ଅଗଷ୍ଟରେ ବେକାରି ହାରକୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଥିଲା। ବେକାରି ସମସ୍ୟାକୁ ନେଇ ଅଜିମ ପ୍ରେମଜି ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନେବଲ ଏମ୍ପଲୟମେଣ୍ଟ୍‌ ତରଫରୁ ମଧ୍ୟ ଏକ ରିପୋର୍ଟ ଜାରି କରାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୧-୧୨ରୁ ୨୦୧୭-୧୮ ଭିତରେ ଦେଶରେ ନିଯୁକ୍ତି ସଂଖ୍ୟା ୯୦ ଲକ୍ଷ ହ୍ରାସ ପାଇଛି। କୃଷି ଓ ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହେଉଛି। କନଷ୍ଟ୍ରକ୍ସନ ଓ ସେବା କ୍ଷେତ୍ରରେ ‌ଯେତିକି ନିଯୁକ୍ତି ସୃଷ୍ଟି ହେଉଛି ତାହା ଏହି କ୍ଷତିକୁ ଭରଣା କରିପାରୁନାହିଁ। ବିଶ୍ବବିଦ୍ୟାଳୟର ସନ୍ତୋଷ ମେହରୋତ୍ରା ଓ ଯଯାତି କେ ପରିଡ଼ା ପ୍ରସ୍ତୁତ କରିଥିବା ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।

Advertisment

ଅଜିମ ପ୍ରେମଜି ବିଶ୍ବବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ୨୦୧୧-୧୨ରେ ଦେଶରେ ମୋଟ ନିଯୁକ୍ତି ସଂଖ୍ୟା ୪୭.୪୨ କୋଟି ଥିଲା। ୨୦୧୭-୧୮ ସୁଦ୍ଧା ସେହି ସଂଖ୍ୟା ୪୬.୫୧ କୋଟିକୁ ଖସିଆସିଥିଲା। ଉତ୍ତର ‌ପ୍ରଦେଶ, ଓଡ଼ିଶା, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, କେରଳ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ପଞ୍ଜାବରେ ନିଯୁକ୍ତିରେ ଅଧିକ ହ୍ରାସ ଘଟିଛି। ଓଡ଼ିଶାରେ ନିଯୁକ୍ତି ସଂଖ୍ୟା ୨୧ ଲକ୍ଷ କମିଯାଇଛି। ନିଯୁକ୍ତି ହରାଇବାରେ ଉତ୍ତର ପ୍ରଦେଶ ତଳକୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶ ୩୨ ଲକ୍ଷ ନିଯୁକ୍ତି ହରାଇଛି। ନିଯୁକ୍ତି ପ୍ରତି କୃଷି କ୍ଷେତ୍ରର ଅବଦାନ ୪୯%ରୁ ହ୍ରାସ ପାଇ ୪୪%ରେ ପହଞ୍ଚିଛି। ଏହି ସମୟରେ ମାନୁଫାକ୍‌ଚରିଂ କ୍ଷେତ୍ର ୩୫ ଲକ୍ଷ ନିଯୁକ୍ତି ହରାଇଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୦୪-୦୫ରେ କୃଷି କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ୨୬.୮୭ କୋଟି ଥିଲା। ୨୦୧୧-୧୨ ସୁଦ୍ଧା ତାହା ୨୩.୧୯ କୋଟିକୁ ହ୍ରାସ ପାଇଥିଲା। ୨୦୧୭-୧୮ରେ ତାହା ଆହୁରି ତଳକୁ ଖସି ୨୦.୫୩ କୋଟିରେ ପହଞ୍ଚିଯାଇଛି। ସେହିପରି ମାନୁଫାକଚରିଂ କ୍ଷେତ୍ରରେ ୨୦୧୧-୧୨ରେ ମୋଟ ନିଯୁକ୍ତି ସଂଖ୍ୟା ୫.୯୮ କୋଟି ଥିଲା। ୨୦୧୭-୧୮ ବେଳକୁ ତାହା ୫.୬୪ କୋଟିକୁ ଖସି ଆସିଛି। ସେବା କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ଏହି ଛଅ ବର୍ଷ ଭିତରେ ୧୨.୭୩ କୋଟିରୁ ବୃଦ୍ଧି ପାଇ ୧୪.୪୪ କୋଟିରେ ପହଞ୍ଚିଯାଇଛି।