ସୋସିଆଲ୍ ମିଡିଆରୁ ନିଜ ପୁଅର ଫଟୋକୁ ହଟାଇ ଦିଆଯିବାକୁ ଜାର୍ଡନ ଲି ନାମକ ଜଣେ ମହିଳା ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଲି ନିଜର ୨ ବର୍ଷିଅ ପୁଅର କିଛି ଫଟୋ ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ୍ କରିଥିଲେ। ଇନ୍ଷ୍ଟାଗ୍ରାମ୍ ପକ୍ଷରୁ ମହିଳାଙ୍କୁ ସୂଚୀତ କରିବା ବିନା ସେହି ଫଟୋକୁ ହଟାଇ ଯିଆଯାଇଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।
ଏହି ମାମଲାକୁ ନେଇ ଇନ୍ଷ୍ଟାଗ୍ରାମ୍ ପକ୍ଷରୁ ସଫେଇ ଦିଆଯାଇଛି ଯେ ଉକ୍ତ ଫଟୋରେ ଗୁଡ଼ାଏ ଆପତ୍ତିଜନକ କମେଣ୍ଟ୍ ଆସିଥିଲା। କେତେକ ଇନ୍ଷ୍ଟା ବ୍ୟବହାକରୀ ପିଲାଟି ଅତ୍ୟନ୍ତ କଳା ଏବଂ ତାକୁ ସନ୍ ସ୍କ୍ରିନ୍ ଲୋସନ ଲଗାଓ ବୋଲି ମାଆ ଲିଙ୍କୁ ପରାମର୍ଶ ଦେଇଥିଲେ। ଆହୁରି ବି କେତେ ଜଣ ଏପରି କହିଥିଲେ କି କ’ଣ ସନ୍ସ୍କ୍ରିନ୍ ଲୋସନ୍ ଯାଇ ସେତେବେଳେ ଲଗାଇବ, ଯେତେବେଳେ ତମ ପୁଅ ୪ରୁ ୪୦ ବୟସ୍କ ଦିଶିବ? କେତେ ଜଣ ଫଟୋଟି ଅତ୍ୟନ୍ତ ଘୃଣ୍ୟ ବୋଲି ମଧ୍ୟ ମତ ରଖିଥିଲେ। ଖାଲି ସେତିକି ନୁହେଁ କେତେ ଜଣ ବ୍ୟକ୍ତି ସେହି ଫଟୋକୁ ରିପୋର୍ଟ ମଧ୍ୟ କରିଥିଲେ। ଫଳରେ ଇନ୍ଷ୍ଟା ପକ୍ଷରୁ ଏହାକୁ ଡିଲିଟ୍ କରିବାକୁ ପଡ଼ିଥିଲା ବୋଲି ସଫେଇ ଦିଆଯାଇଛି।
ନିଜ ପୁଅର ଫଟୋ ଇନ୍ଷ୍ଟାଗ୍ରାମରୁ ହଟିଯିବା ପରେ କ୍ରୋଧରେ ଆସି ଲି ଇନ୍ଷ୍ଟାକୁ ଜବାବ ମାଗିଥିଲେ। ମାତ୍ର ଇନ୍ଷ୍ଟା ପକ୍ଷରୁ କୌଣସି ଉତ୍ତର ମିଲିଲା ନାହିଁ। ସେ ତା’ପରେ ନିଜ ସହ ତାଙ୍କ ପୁଅର ଫଟୋ ଟୁଇଟର୍ରେ ପୋଷ୍ଟ୍ କଲେ। ମାତ୍ର ପରଦିନ ସକାଳୁ ଉଠି ଦେଖନ୍ତି ଯେ ଟୁଇଟର୍ରୁ ବି ତାଙ୍କ ଫଟୋ ହଟାଇ ଯିଆଯାଇଛି। ଏଥିରେ ସେ ଭାବପ୍ରବଣ ହୋଇ ଲେଖିଛନ୍ତି ଯେ ‘ମୋ ପୁଅର ରଂଗ ଖୁବ୍ ସୁନ୍ଦର। ମୁଁ ତା’ର ତ୍ୱଚାର ସୁରକ୍ଷା ଦୃଷ୍ଟିରୁ କୌଣସି କେମିକାଲ୍ ବ୍ୟବହାର କରିବି ନାହିଁ। ଯେଉଁମାନଙ୍କୁ ମୋ ପୋଷ୍ଟ୍ ଭଲ ଲାଗୁନାହିଁ ସେମାନେ ମୋତେ ଅନ୍ଫଲୋ କରିଦିଅନ୍ତୁ।