ରୋଷେୟାଙ୍କ ଗାଁ ମେନାର; ୬ ଅଙ୍କର ଦରମା ସହ କୋଟିପତି ଓ ସେଲିବ୍ରିଟିମାନଙ୍କ ରୋଷଇଶାଳରେ ରାଜ୍‌ କରନ୍ତି ଏଇ ଗାଁର ରୋଷେୟା…

ଉଦୟପୁର: ରାଜସ୍ଥାନ ଉଦୟପୁର ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟିଆ ଧୂଳିଧୂସରିତ ଗାଁ ମେନାର। ତେବେ, ଦେଶ ତଥା ବିଦେଶରେ ରହିଛି ଏହି ଗାଁର ରହିଛି ଏକ ଖାସ୍‌ ପରିଚିତି। ଆଉ ସେଇ ପରିଚିତିଟି ହେଉଛି ରୋଷେୟାମାନଙ୍କ ଗାଁ! ହଁ, ଶୁଣିବାକୁ କିଛିଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ; ହେଲେ କଥାଟି ଶତ ପ୍ରତିଶତ ସତ। କାରଣ, ଏଇ ଗାଁର ପ୍ରତିଭାବାନ ରୋଷେୟାମାନେ ଆଜି ସେମାନଙ୍କର ଚେର ବିଛାଇଛନ୍ତି ସ୍ୱଦେଶ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ। ଭାରତର କୋଟିପତିଙ୍କ ରୋଷଇ ଘରର ଭାର ସମ୍ଭାଳିଛନ୍ତି ମାନେରର ରୋଷେୟାମାନେ।
ଆଜ୍ଞା ହଁ! ଧୀରୁଭାଇ ଅମ୍ବାନୀ ଏବଂ ହିନ୍ଦୁଜା ଭାଇଙ୍କ ଠାରୁ ଆରମ୍ଭ କରି ଲତା ମଙ୍ଗେସକର ଏବଂ ଜୁହି ଚାୱଲା ପର୍ଯ୍ୟନ୍ତ କୋଟିପତି ଓ ସେଲିବ୍ରିଟିମାନଙ୍କ ରୋଷଇଶାଳରେ ରାଜ୍‌ କରନ୍ତି ମେନାର ଏଇ ରୋଷେୟାମାନେ। ମେନାର ରୋଷେୟାଙ୍କ ରୋଷେଇର ରହିଛି ଏକ ଚମତ୍କାର ଇତିହାସ। ଖାଲି ସ୍ୱଦେଶ ଭାରତରେ ନୁହେଁ ବିଦେଶ ଭୂଇଁ ଇଂଲଣ୍ଡରେ ମଧ୍ୟ ଅର୍ଦ୍ଧ ଡଜନରୁ ଅଧିକ ମେନାରିଆର ରୋଷେୟା ସେଠାରେ ବସବାସ କରି ରହୁଥିବା ଭାରତୀୟଙ୍କ ପରିବାରରେ ମୁଖ୍ୟ ରୋଷେୟା ଭାବରେ କାର୍ଯ୍ୟ କରନ୍ତି।
ଉଦାହରଣ ସ୍ୱରୂପ, ୨୮ ବର୍ଷୀୟ ଯଶୱନ୍ତ ମେନରିଆ ହିନ୍ଦୁଜା ଭାଇମାନଙ୍କର ଲଣ୍ଡନ ରୋଷେଇ ଘର ପରିଚାଳନା କରନ୍ତି। ମାତ୍ର ୧୪ ବର୍ଷ ବୟସରେ ଯଶଓ୍ଵନ୍ତ ନିଜ ଗାଁ ନିକଟରେ ଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନିର କ୍ୟାଣ୍ଟିନ ଚଳାଇବାକୁ ଚୁକ୍ତି କରିଥିଲେ। ବାସ୍‌ ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଏକ ଦଶନ୍ଧିରୁ ଅଧିକ କାଳ ମୁମ୍ବାଇରେ କାମ କରିବା ପରେ ସେ ହିନ୍ଦୁଜା ଭ୍ରାତା ଅଶୋକ ପି ହିନ୍ଦୁଜାଙ୍କ ରୋଷେଇ ଘରେ ଏକ ପରିଚିତ ନାମ ହୋଇ ତାଙ୍କ ସହ ଲଣ୍ଡନ ଚାଲି ଯାଇଥିଲେ। ତାଙ୍କର ଏହି ସଫଳ ଯାତ୍ରା କେବଳ ଲଣ୍ଡନରେ ସୀମିତ ନଥିଲା ବରଂ ହଂକଂ, ନାଇରୋବି, ଦୁବାଇ, ମସ୍କାଟ, ଆବୁଧାବି, କାତାରରେ ମଧ୍ୟ ପ୍ରସିଦ୍ଧି ପାଇଥିଲା। ଏବଂ ମେନାରିଆର ଅନ୍ୟ ରୋଷେୟାମାନଙ୍କ ପାଇଁ ସୁଯୋଗ ଆଣି ଦେଇଥିଲା।


ସେହିପରି ମେନାରିଆର ରୋଷେୟା ଭାବେ ଆଉ ବିଶେଷ ନାଁ ହେଉଛି ପୁଣାମଚାନ୍ଦ ଆକଲିଙ୍ଗଡାସୋଟ୍‌। ସେ ଧୀରୁଭାଇ ଅମ୍ବାନୀଙ୍କ ମୁମ୍ବାଇ ପରିବାରରେ ଯୋଗଦେବା ପୂର୍ବରୁ ଲତା ମଙ୍ଗେସକରଙ୍କ ପରିବାର ପାଇଁ ରୋଷେଇ କରୁଥିଲେ। ସେ ଏଠାରେ ଏକ ଦଶନ୍ଧି ଧରି କାମ କରିଥିଲେ, ମିଲେଟ ଏବଂ ଗହମ ରୋଟି, ଅମ୍ବାନୀ ପରିବାର ପାଇଁ ଷ୍ଟିମ୍‌ ଡୋକଲା, ପୋହା, ସାମୋସା ଏବଂ କାଚୋରି ପ୍ରସ୍ତୁତିରେ ତାଙ୍କର ଏକ ନିଆରା ଦକ୍ଷତା ଥିଲା।
ତେବେ, ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ଏଇ ଗାଁର ରୋଷେୟାମାନେ କେବେ ବି କୌଣସି ରୋଷେଇ ପାଠ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି। ତଥାପି ସେମାନେ ଅନେକ ଦଶନ୍ଧି ଧରି ମେକ୍ସିକାନ୍‌ ଏବଂ ଇଟାଲୀରୁ ଚାଇନିଜ୍‌ ଏବଂ କଣ୍ଟିନେଣ୍ଟାଲ୍‌ ପର୍ଯ୍ୟନ୍ତ ସବୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।
ଏମାନେ ଆକର୍ଷଣୀୟ ଛଅ ଅଙ୍କ ବିଶିଷ୍ଟ ଦରମା ବ୍ୟତୀତ ମାଗଣା ବୋର୍ଡିଂ, ରହଣି ଏବଂ ବିମାନ ଯାତ୍ରା ସୁବିଧା ପାଇଥାଆନ୍ତି।

ସମ୍ବନ୍ଧିତ ଖବର