ଭୁବନେଶ୍ବର: ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ଏଥର ଯେଉଁ ବଜେଟ୍ ଉପସ୍ଥାପନ କରିବେ ସେଥିରେ ଲୋକଙ୍କ କଥା ରହିବ। ଲୋକଙ୍କ ଆଶା ଓ ଆକାଂକ୍ଷା ସେଥିରେ ପ୍ରତିଫଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବଜେଟ୍ ଲାଗି ମତାମତ ଦେବାକୁ ଲୋକମାନଙ୍କୁ ଯେଉଁ ଆହ୍ବାନ ଦିଆଯାଇଥିଲା, ସେଥିପ୍ରତି ଜବରଦସ୍ତ ସମର୍ଥନ ମିଳିଥିବା ସେ କହିଛନ୍ତି। ଆଜି ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ଆଲୋଚନାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଜନସାଧାରଣଙ୍କ ମତାମତକୁ ଗୁରୁତ୍ବ ଦେବାର ଆମର ଯେଉଁ ପରମ୍ପରା ରହିଛି ତାହା ଜାରି ରହିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ। ଆମେ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ପାଇଛୁ। ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ। ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରେ ଅଂଶଗ୍ରହଣ କରିଥିବା ଜଣେ ବିଶେଷଜ୍ଞଙ୍କ ମତରେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା, ଧାନ ପାଇଁ ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଏବଂ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବା ନେଇ ରାଜସ୍ବ କେଉଁଠାରୁ ଆସିବ ତାହା ଉପରେ ଆଲୋଚନା ହୋଇଥିଲା। ଏହି ସବୁ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବା ଲାଗି ଅତିକମ୍ରେ ୩ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଜଣେ ପୂର୍ବତନ ଅର୍ଥମନ୍ତ୍ରୀ ସରକାରଙ୍କୁ ପରାମର୍ଶ ଦେଇଥିଲେ। କିଛି ସଦସ୍ୟ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ନୂଆ ଉଦ୍ୟୋଗୀମାନଙ୍କୁ ବ୍ୟାଙ୍କଗୁଡ଼ିକ ଠିକ୍ ଭାବେ ଋଣ ଦେଉନଥିବା ନେଇ ଶିଳ୍ପ ସଂଘର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତି ପଞ୍ଚାୟତରେ ସୌରଚାଳିତ ଶୀତଳଭଣ୍ଡାର ଖୋଲି ତାହାର ପରିଚାଳନା ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କୁ ଦେବା ଲାଗି ମଧ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ବିଦ୍ୟୁତ ଉପରେ ସବ୍ସିଡି ଦେବା, ଖଣି ରୟାଲ୍ଟି ସଂଶୋଧନ, ନୂତନ ନିଜସ୍ବ ରାଜସ୍ବ ଉତ୍ସ ବାହାର କରିବା ଏବଂ କେନ୍ଦ୍ର ସରକାର ସଂଗ୍ରହ କରୁଥିବା ସେସ୍ ଉପରେ ଭାଗ ମାଗିବା ଆଦି ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ବିଭିନ୍ନ ନାଗରିକ ସମାଜ, ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନଗୋ, ଶଶିଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବଗଣ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି, ନାବାର୍ଡ ଜେନେରାଲ ମ୍ୟାନେଜର ସୁଧାଂଶୁ କେ କେ ମିଶ୍ରଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୬ ଜଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ମତାମତ ଦେଇଥିଲେ।