ନୂଆଦିଲ୍ଲୀ : ବଜେଟ୍ ପ୍ରକ୍ରିୟାର ଅନ୍ୟତମ ବଡ଼ କାର୍ଯ୍ୟ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ସାଧାରଣତଃ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏହାକୁ ପ୍ରସ୍ତୁତ କରନ୍ତି। ଚଳିତ ବର୍ଷ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭାବେ କାର୍ଯ୍ୟ କରୁଥିବା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ୨୦୨୧ ଡିସେମ୍ବର ୬ରେ ଅବ୍ୟାହତି ନେବାରୁ ଏହି ପଦ ଏବେ ଫାଙ୍କା ପଡ଼ିଛି। ତାଙ୍କ ସ୍ଥାନରେ ଦେଶର ପ୍ରଧାନ ଅର୍ଥନୈତିକ ପରାମର୍ଶଦାତା ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କିଛି ବର୍ଷ ହେଲାଣି ଅର୍ଥନୈତିକ ସର୍ଭେ ରିପୋର୍ଟର ଦୁଇଟି ଖଣ୍ଡ ଉପସ୍ଥାପନ କରାଯାଉଥିଲା। କିନ୍ତୁ ଏଥର ଗୋଟିଏ ଖଣ୍ଡରେ ସର୍ଭେ ରିପୋର୍ଟ ଆସିବ ବୋଲି କୁହାଯାଉଛି। ସୁବ୍ରମଣିଅନ ସିଇଏ ଭାବେ ନିଜର ତିନି ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଗତ ଡିସେମ୍ବରରେ ଅବ୍ୟାହତି ନେଇଛନ୍ତି। ସେ ପାଠପଢ଼ା ଜଗତକୁ ଫେରିଯିବେ ବୋଲି କହିଛନ୍ତି। ନୂଆ ସିଇଏଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂର୍ବରୁ ୨୦୧୪ ଜୁଲାଇରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଯେଉଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ତାହାକୁ ବରିଷ୍ଠ ଅର୍ଥନୀତିଜ୍ଞା ଇଲା ପଟ୍ଟନାୟକ ପ୍ରସ୍ତୁତ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ରଘୁରାମ ରାଜନଙ୍କୁ ନିଯୁକ୍ତ କରାଯିବାରୁ ସିଇଏ ପଦ ଫାଙ୍କା ପଡ଼ିଥିଲା। କିଛି ମାସ ପରେ ୨୦୧୪ ଅକ୍ଟୋବରରେ ସୁବ୍ରମଣିଅନଙ୍କୁ ସିଇଏ ପଦରେ ନିଯୁକ୍ତ କରାଯାଇଥିଲା।
ଚଳିତ ବର୍ଷ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୯% ରହିବ ବୋଲି ସେଥିରେ ଆକଳନ କରାଯାଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/budget.jpg)