ଏଥର ବ୍ୟୟ ବଜେଟ୍‌ଠୁ କମ୍ ରହିବ, ତିନି ବର୍ଷରେ ପ୍ରଥମ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ବଜେଟ୍‌ରେ ଯେତିକି ବ୍ୟୟ ଲାଗି ବ୍ୟବସ୍ଥା କରାଯାଇଛି ସେହି ଲକ୍ଷ୍ୟ ହାସଲ ହେବ ନାହିଁ। ତିନି ବର୍ଷରେ ପ୍ରଥମ ଥର ଲାଗି ଭାରତର ବ୍ୟୟ ମୋଟ ବଜେଟ୍‌ ଆକଳନଠାରୁ କମ୍ ରହିବ। ବିତ୍ତୀୟ ନିଅଣ୍ଟକୁ (ରାଜସ୍ବ ଓ ବ୍ୟୟ ମଧ୍ୟରେ ବିଯୁକ୍ତାତ୍ମକ ଅନ୍ତର) ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୪% ମଧ୍ୟରେ ରଖିବା ଲାଗି ବ୍ୟୟ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

୨୦୨୨-୨୩ରେ ୪୫.୯୫ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ବଜେଟ୍‌ରେ ଅଟକଳ ଧାର୍ଯ୍ୟ କରାଯାଇଛି। ସେଥିରେ ୭୦,୦୦୦-୮୦,୦୦୦ କୋଟି ଟଙ୍କାର ହ୍ରାସ ହେବ। ବିତ୍ତୀୟ ନିଅଣ୍ଟ ଯାହା ସାଧାରଣତଃ ୪-୫% ଭିତରେ ରହୁଥିଲା, କୋଭିଡ୍ ମହାମାରୀ ପାଇଁ ତାହା ୯.୩% ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ତାହାକୁ ୬.୪% ମଧ୍ୟରେ ସୀମିତ ରଖିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ତେଲ ଉପରୁ ଟିକସ କମ୍ କରିବା ଯୋଗୁ ରାଜସ୍ବ ଆୟ ଏକ ଲକ୍ଷ କୋଟି ଟଙ୍କା କମ୍ ହେବାର ଆଶଙ୍କା ରହିଛି। ଯେଉଁ ହାରରେ ରାଜସ୍ବ ସଂଗ୍ରହ ହେଉଛି ତାହା ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ବ୍ୟୟ ପାଇଁ ଯଥେଷ୍ଟ ନୁହେଁ। ସାର ସବ୍‌ସିଡି ବାବଦରେ ସରକାର ବ୍ୟୟ ବଢ଼ାଇଛନ୍ତି। ତାହା ରାଜକୋଷ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର