ଏବର୍ଷ ଅଭିବୃଦ୍ଧି ୭%ରୁ ଅଧିକ ରହିବ: ସିଇଏ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ରହିବା ସମ୍ଭାବନା ଅଛି। ଯଦିଓ ଦେଶରେ ସାଧାରଣ ନିର୍ବାଚନ ଅର୍ଥନୈତିକ କାର୍ଯ୍ୟକଳାପକୁ ମନ୍ଥର କରିଦେଇଛି ତଥାପି ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ରହିପାରେ ବୋଲି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ କହିଛନ୍ତି। ଗତ ଦୁଇ ତ୍ରୟମାସରେ ଅର୍ଥନୀତିରେ ଯେଉଁ ମନ୍ଥରତା ଦେଖାଦେଇଛି ସେଥିପାଇଁ ଢାଞ୍ଚାଗତ କାରଣ ଦାୟୀ। ସେ କହିଛନ୍ତି, ନିର୍ବାଚନୀ ବର୍ଷରେ ନିବେଶକମାନେ ମାପିଚୁପି ପଦକ୍ଷେପ ନେଇଥାଆନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସରକାର ବିତ୍ତୀୟ ନିଅଣ୍ଟକୁ ୩.୪%ରେ ରଖିବେ ବୋଲି ସୁବ୍ରମଣ୍ୟନ୍ କହିଛନ୍ତି। ଅଣବ୍ୟାଙ୍କିଂ ଆର୍ଥିକ ପ୍ରତି‌ଷ୍ଠାନ (ଏନବିଏଫସି) ଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଠିକ୍ ସମୟରେ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର