ଚଳିତ ବର୍ଷ ଆସିବ ୫ଜି ହ୍ୟାଣ୍ଡସେଟ୍

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରଥମାର୍ଦ୍ଧରେ ଭାରତରେ ୫ଜି ହ୍ୟାଣ୍ଡସେଟ୍ ମିଳିବା ଆଶା ରହିଛି। ଏପରିକି କେତେକ ହ୍ୟାଣ୍ଡସେଟ୍ ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥାତ୍ ମାର୍ଚ୍ଚ ସୁଦ୍ଧା ଉପଲବ୍ଧ ହେବା ସମ୍ଭାବନା ରହିଛି। ତେବେ ପ୍ରଥମ ତ୍ରୟମାସରେ ବିକ୍ରି ହେବାକୁ ଥିବା ୫ଜି ହ୍ୟାଣ୍ଡସେଟ୍ ଗୁଡ଼ିକର ମୂଲ୍ୟ ଅଧିକ ରହିବ। ଅପେକ୍ଷାକୃତଭାବେ କମ୍ ମୂଲ୍ୟର ୫ଜି ହ୍ୟାଣ୍ଡସେଟ୍ କିଣିବାକୁ ହେଲେ ଗ୍ରାହକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଭାରତରେ ୫ଜି ସ୍ପେକ୍ଟ୍ରମ ନିଲାମ ହେବା ପୂର୍ବରୁ ହ୍ୟାଣ୍ଡସେଟ୍ ମିଳିଯିବ। ଉଲ୍ଲେଖଯୋଗ୍ୟ ଯେ, ସରକାର ଆସନ୍ତା ଏପ୍ରିଲରୁ ଜୁନ୍‌ ମଧ୍ୟରେ ୫ଜି ସ୍ପେକ୍ଟ୍ରମ ନିଲାମ ଯୋଜନା ରଖିଛନ୍ତି।

Nikkei Asian Review

ଗବେଷଣା ସଂସ୍ଥା ଟେକ୍ଆର୍କର ଆକଳନ ଅନୁଯାୟୀ, ଚଳିତବର୍ଷ ଭାରତରେ ଦାମୀ ୫ଜି ହ୍ୟାଣ୍ଡସେଟ୍ ବର୍ଗରେ ୧୫ରୁ ୧୮ଟି ମଡେଲ ଉପଲବ୍ଧ ହୋଇପାରେ। ଭାରିଆଣ୍ଟକୁ ମିଶାଇଲେ ‌୫ଜି ହ୍ୟାଣ୍ଡସେଟ୍ କିସମ ସଂଖ୍ୟା ବହୁ ଅଧିକ ହେବ। ତେବେ ଏହି ଫୋନ୍ ଗୁଡ଼ିକର ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ରହିବ। ଆଇଡିସିର କହିବାନୁଯାୟୀ, ୨୦୨୦ରେ କମ୍ପାନି ଗୁଡ଼ିକ ଉଭୟ ୪ଜି ଏବଂ ୫ଜି ସୁବିଧା ଥିବା ହ୍ୟାଣ୍ଡସେଟ୍ ଆଣିବେ। କାରଣ ଗ୍ରାହକମାନେ ଏହି ମଡେଲ ଫୋନ ଗୁଡ଼ିକୁ ଅପେକ୍ଷାକୃତ କମ୍ ଅର୍ଥ ଦେଇ କିଣିବା ସୁଯୋଗ ପାଇବେ। ତେବେ କେବଳ ୫ଜି ପ୍ରଯୁକ୍ତିରେ ଆସୁଥିବା ହ୍ୟାଣ୍ଡସେଟ୍ ଗୁଡ଼ିକର ବିକ୍ରି ୨୦୨୧ରେ ବୃଦ୍ଧି ପାଇବ ବୋଲି ଆଇଡିସି ଆକଳନ କରିଛି। ଚୀନର ହ୍ୟାଣ୍ଡସେଟ୍ ନିର୍ମାତା ଶାଓମି ଚଳିତବର୍ଷ ବିଶ୍ବରେ ପ୍ରାୟ ୧୦ଟି ମଡେଲର ୫ଜି ହ୍ୟାଣ୍ଡସେଟ୍ ଆଣିବା ଯୋଜନା ରଖିଛି।

ସମ୍ବନ୍ଧିତ ଖବର