ଚଳିତ ବର୍ଷ ଆସିବ ପତଞ୍ଜଳି ଜିନ୍ସ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ପୋଷାକ ବଜାରର ଏକ ବଡ଼ ଭାଗ ହାସଲ କରିବାକୁ ସଜବାଜ ହେଉଛି। ‘ପରିଧାନ’ ନାମରେ କଂପାନି ଏହାର ପୋଷାକ ବିକ୍ରି କରିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଜିନ୍ସ ବଜାରରେ ଉପଲବ୍ଧ ହେବ। କଂପାନିର ଏମ୍‌ଡି ଓ ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ, ଆମ ପୋଷାକ କାରବାରର ଦେଖାଶୁଣା କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆମେ ଦେଶର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ସ୍ୱତନ୍ତ୍ର ଷ୍ଟୋର ଖୋଲିବାକୁ ଯୋଜନା ରଖିଛୁ। ପତଞ୍ଜଳି ପକ୍ଷରୁ ସ୍ୱଦେଶୀ ଜିନ୍ସ ଆଣିବାର ଯୋଜନା ଦୁଇ ବର୍ଷ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ଜିନ୍ସ ହେଉଛି ପାଶ୍ଚାତ୍ୟ ସଂସ୍କୃତିର ଅଂଶ। କିନ୍ତୁ, ଭାରତରେ ଏହା ଏତେ ଗ୍ରହଣୀୟ ହୋଇଯାଇଛି ଯେ ପୋଷାକ ଷ୍ଟୋର୍‌ରୁ ଜିନ୍ସକୁ ହଟାଇବା ପ୍ରାୟ ଅସମ୍ଭବ। ତେବେ ସ୍ୱଦେଶୀ ଜିନ୍ସ କିଭଳି ହେବ ସେ ବିଷୟରେ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଥିଲେ ଯେ, ଭାରତୀୟ ପରମ୍ପରାକୁ ସୁହାଇବା ଭଳି ଜିନ୍ସ ଆମେ ପ୍ରସ୍ତୁତ କରିବୁ। ଷ୍ଟାଇଲ୍‌, ଡିଜାଇନ୍‌ ଓ ଫେବ୍ରିକ୍‌୍‌ ଦୃଷ୍ଟିରେ ତାହା ସମ୍ପୂର୍ଣ୍ଣ ଭାରତୀୟ ଭଳି ମନେ ହେବ। ମହିଳାଙ୍କ ପାଇଁ କଂପାନି ଯେଉଁ ଜିନ୍ସ ପ୍ରସ୍ତୁତ କରିବ ତାହା ଢିଲା ରହିବ ଫଳରେ ଭାରତୀୟ ସଂସ୍କୃତି ସହିତ ତାହା ଖାପଖାଇବ। ଆମ ଜିନ୍ସକୁ ପିନ୍ଧିଲେ ଲୋକଙ୍କୁ ଆରାମ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର