ଚଳିତବର୍ଷ ୭୫ ଛୁଇଁବ ପେଟ୍ରୋଲ

ଭୁବନେଶ୍ବର: ଚଳିତବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ୮ ତାରିଖକୁ ଛାଡ଼ିଲେ ଅନ୍ୟସବୁ ଦିନ ତେଲ ଦର ବଢ଼ୁଛି। ଫଳରେ ଭୁବନେଶ୍ବରରେ ଆଜି ଭାରତୀୟ ତେଳ ନିଗମର ଏକ ଟାଙ୍କିରେ ପେଟ୍ରୋଲ ଦର ୭୪ ଟଙ୍କା ୯୮ରେ ପହଞ୍ଚିଯାଇଛି। ଚଳିତବର୍ଷ ଆରମ୍ଭରୁ ଇତିମଧ୍ୟରେ ପେଟ୍ରୋଲ ଦର ୮୧ ପଇସା ମହଙ୍ଗା ହୋଇଗଲାଣି। ତେବେ ପେଟ୍ରୋଲ ତୁଳନାରେ ଡିଜେଲ ଦର ଇତିମଧ୍ୟରେ ଅଧିକ ବଢ଼ିଗଲାଣି। ଗତ ୧୧ ଦିନ ମଧ୍ୟରେ ଡିଜେଲ ଦର ଲିଟର ପିଛା ୧ ଟଙ୍କା ୨୪ ପଇସା ମହଙ୍ଗା ହୋଇଛି। ନୂଆବର୍ଷ ଦିନ ଭୁବନେଶ୍ବରରେ ‌ଡିଜେଲ ଦର ୭୨ ଟଙ୍କା ୯୬ ପଇସା ଥିଲା। ୨ ତାରିଖ ଦିନ ଏହା ୭୩ ଟଙ୍କା ୭ ପଇସାରେ ପହଞ୍ଚିଥିବାବେଳେ ୧୦ ତାରିଖରେ ୭୪ ଟଙ୍କା ୭ ପଇସା‌କୁ ବୃଦ୍ଧି ପାଇଥିଲା। ଶନିବାର ଡିଜେଲ ଦର ଲିଟର ପିଛା ୧୩ ପଇସା ବୃଦ୍ଧି ଘଟି ୭୪ ଟଙ୍କା ୨୦ ପଇସା ଛୁଇଁଛି।

ସେହିପରି  ୨୦୨୦  ଜାନୁଆରି ୨ ତାରିଖରୁ ଲିଟର ପିଛା ପେଟ୍ରୋଲ୍‌ ଦର ୩୮ ପଇସା ବଢ଼ିଥିବା ବେଳେ ଲିଟର ପିଛା ଡିଜେଲ୍‌ର ମୂଲ୍ୟ ୫୫ ପଇସା ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଭାରତୀୟ ମୁଦ୍ରା ଓ ଆମେରିକୀୟ ଡଲାର୍‌ ବିନିମୟ ମୂଲ୍ୟ ଉପରେ ଆମ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ତୈଳ ଚାହିଦା ମେଣ୍ଟାଇବାକୁ ଭାରତ ୮୪% ଅଶୋଧିତ ତୈଳ ଆମଦାନି କରିଥାଏ। ଏହାର ଏକ ତୃତୀୟାଂଶ ଆସିଥାଏ ଇରାକ୍‌ ଓ ସାଉଦୀ ଆରବ ଦେଶମାନଙ୍କରୁ।

ସମ୍ବନ୍ଧିତ ଖବର