ଏବର୍ଷ ଅଭିବୃଦ୍ଧି ୯.୬%କୁ ଖସିବ, ପୂର୍ବାନୁମାନ ବଦଳାଇଲା ରେଟିଂ ଏଜେନ୍ସି ମୁଡିସ୍‌

ଦ୍ବିତୀୟ ଲହର ପ୍ରଭାବ ଜୁନ୍ ଭିତରେ ସୀମିତ ରହିବ, ଟିକାକରଣ ଉପରେ ସୁଧାର ନିର୍ଭରଶୀଳ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତର ଅଭିବୃଦ୍ଧି ୯.୬%କୁ ହ୍ରାସ ପାଇବ। ବିଶ୍ବସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍‌ ଏଭଳି ଆକଳନ କରିଛି। କରୋନା ମହାମାରୀର ଦ୍ବିତୀୟ ଲହର ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଅଭିବୃଦ୍ଧି କମିବ। କିନ୍ତୁ ଦ୍ବିତୀୟ ଲହର ଜନିତ କ୍ଷତି ଚଳିତ ବର୍ଷ ଜୁନ୍ ମାସ ମଧ୍ୟରେ ସୀମିତ ରହିବ ବୋଲି ଏହା କହିଛି। କିଛି ମାସ ପୂର୍ବରୁ ମୁଡିସ୍‌ ପୂର୍ବାନୁମାନ କରିଥିଲା ଯେ ଭାରତ୧୩.୯% ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବ। ଏବେ ଏହା ନିଜ ପୂର୍ବାନୁମାନ ବଦଳାଇବାକୁ ବାଧ୍ୟ ହୋଇଛି। ମୁଡିସ୍‌ ଜାରି କରିଥିବା ରିପୋର୍ଟରେ ଜଣାଇଛି ଯେ କୋଭିଡ୍‌-୧୯ର ଦ୍ବିତୀୟ ସଂକ୍ରମଣ ଏପ୍ରିଲ୍ ଓ ମେ’ ମାସରେ ଦେଶକୁ ପ୍ରଭାବିତ କରିଛି। ଅନେକ ରାଜ୍ୟରେ କଟକଣା କୋହଳ ହେଉଥିବାରୁ ସ୍ଥିତିରେ ସୁଧାର ଆାଶା କରାଯାଉଛି। ଅର୍ଥନୈତିକ କ୍ଷତିକୁ କମ୍ କରିବା ଲାଗି ଦ୍ରୁତ ଟିକାକରଣ ନିହାତି ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଦେଶର ମାତ୍ର ୧୬ ପ୍ରତିଶତ ଜନସଂଖ୍ୟା ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩.୬ ପ୍ରତିଶତ ଲୋକ ଟିକାର ଦୁଇଟି ଡୋଜ୍ ନେଇଛନ୍ତି। ସଂକ୍ରମଣ ହାର କମୁଥିବା ବେଳେ ରାଜ୍ୟଗୁଡ଼ିକ କଟକଣା କୋହଳ କରୁଛନ୍ତି। କିନ୍ତୁ ଟିକାକରଣ ହାର ନିମ୍ନ ସ୍ତରରେ ରହିବା ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ଯଦି ସଂକ୍ରମଣର ଆଉ ଏକ ଲହର ଦେଖାଦେବ ତେବେ ଲକ୍‌ଡାଉନ୍ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ତେଣୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଅର୍ଥନୀତିରେ ପର୍ଯ୍ୟାୟକ୍ରମେ ସୁଧାର ହେବ ବୋଲି ମୁଡିସ୍‌ ଏହାର ରିପୋର୍ଟରେ ଜଣାଇଛି।

୨୦୧୯-୨୦ରେ ୪% ଅଭିବୃଦ୍ଧି ହାସଲ କରିଥିବା ଭାରତର ଅର୍ଥନୀତି କରୋନା ମହାମାରୀ ପ୍ରଭାବରେ ୨୦୨୦-୨୧ ଆର୍ଥିକ ବର୍ଷରେ ୭.୩% ହ୍ରାସ ପାଇଛି। ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ମହାମାରୀ ପୂର୍ବରୁ ଏହି ରାଜ୍ୟଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଅବଦାନ ୬୦ ପ୍ରତିଶତ ସ୍ତରରେ ଥିଲା। ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ଅବଦାନ ସର୍ବାଧିକ ରହିଥିଲା। ଚଳିତ ବର୍ଷର ଦ୍ବିତୀୟ ଭାଗରେ ଗମନାଗମନ ଓ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବ। ନିଜେ ଟିକା କିଣି ସବୁ ରାଜ୍ୟକୁ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ନୀତି ଯୋଗୁଁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମୁଡିସ୍‌ ପକ୍ଷରୁ କୁହାଯାଇଛି। ସବୁ ବିଷୟ ବିଚାରକୁ ନେବା ପରେ ମୁଡିସ୍‌ ଜଣାଇଛି ଯେ ମହାମାରୀର ଦ୍ବିତୀୟ ଲହରର ପ୍ରଭାବ ପ୍ରଥମ ଲହର ତୁଳନାରେ କମ୍ ରହିବ। ତେବେ ଟିକାକରଣ ଉପରେ ଅର୍ଥନୀତିର ସୁଧାର ସମ୍ପୂର୍ଣ୍ଣ ନିର୍ଭର କରୁଛି। ଘରୋଇ କ୍ଷେତ୍ରରେ ଉପଯୋଗିତା ବୃଦ୍ଧି ପାଇବା ଆବଶ୍ୟକ। ନିଯୁକ୍ତି, ଆୟ ଓ ସମ୍ପତ୍ତି ହ୍ରାସ କାରଣରୁ ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକମାନଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ଉପଯୋଗିତା ଏବେ କମ୍ ରହିଛି। ଦ୍ବିତୀୟ ଲହର ମେ’ ମାସ ଆରମ୍ଭରେ ଶୀର୍ଷ ଛୁଇଁଥିଲା। ଏହା ପରଠାରୁ ଦୈନିକ ସଂକ୍ରମଣ ନିୟମିତ ଭାବେ ହ୍ରାସ ପାଉଥିବା ମୃତ୍ୟୁ ସଂଖ୍ୟା କମ୍ ହୋଇଛି ଓ ସଂକ୍ରମିତ ହେବା ପରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ଭାରତରେ ମୋଟ କୋଭିଡ୍‌ ସଂକ୍ରମଣ ତିନି କୋଟିରୁ ଅଧିକ ହୋଇସାରିଲାଣି।

ସମ୍ବନ୍ଧିତ ଖବର