ନୂଆଦିଲ୍ଲୀ: ଜିଏସ୍‌ଟି ସଂସ୍କାର ପ୍ରଭାବରେ ନବରାତ୍ରି ବିକ୍ରିରେ ନୂଆ ରେକର୍ଡ ହୋଇଛି। ଏହି ବିକ୍ରି ଗତ ୧୦ ବର୍ଷରେ ସର୍ବାଧିକ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି। ନବରାତ୍ରିରେ ମାରୁତି ସୁଜୁକିର ବିକ୍ରି ୧୦୦ ପ୍ରତିଶତ ବଢ଼ିଛି ଯାହା ଗତ ଏକ ଦଶନ୍ଧିରେ ସର୍ବାଧିକ। କମ୍ପାନିର ବୁକିଂ ଦେଢ଼ ଲକ୍ଷ ଅତିକ୍ରମ୍ କରିଥିବା ବେଳେ ଖୁବ୍‌ଶୀଘ୍ର ୨ ଲକ୍ଷ ହୋଇଯିବା ଆଶା କରାଯାଉଛି। ନବରାତ୍ରିର ଶେଷ ଦିନରେ କମ୍ପାନି ୮୫ ହଜାର ଗାଡ଼ି ବିକ୍ରି କରିଥିଲା। ଅନ୍ୟ ଆଠ ଦିନରେ କମ୍ପାନି ୧ ଲକ୍ଷ ୬୫ ହଜାର ଗାଡ଼ି ବିକିଛି। ନବରାତ୍ରିର ପ୍ରଥମ ଦିନରେ କମ୍ପାନି ୩୦ ହଜାର ଗାଡ଼ି ବିକ୍ରି କରିଥିଲା ଯାହା ୩୫ ବର୍ଷ ମଧ୍ୟରେ କୌଣସି ଗୋଟିଏ ଦିନରେ ସର୍ବାଧିକ ବିକ୍ରି ଥିଲା। 

Advertisment

ସେହିପରି, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଏକ୍ସୟୁଭି ୭୦୦ ଓ ସ୍କର୍ପିଓ ଏନ୍ ବିକ୍ରି ୬୦ ପ୍ରତିଶତ ବଢ଼ିଛି। ହୁଣ୍ଡାଇର କ୍ରେଟା ଓ ଭେନ୍ୟୁ ବିକ୍ରି ୭୨ ପ୍ରତିଶତ ବଢ଼ିଛି। ଟାଟା ମୋଟର୍ସ ପାର୍ବଣ ଋତୁରେ ୫୦ ହଜାର ଗାଡ଼ି ବିକ୍ରି କରିଛି। ଅଲ୍‌ଟ୍ରୋଜ୍, ପଞ୍ଚ୍‌, ନେକ୍ସନ ଓ ଟିଆଗୋ ଭଳି ମଡେଲ୍‌ ଚାହିଦାରେ ଥିଲା। ହିରୋ ମୋଟୋକର୍ପ ବିକ୍ରିରେ ଦୁଇ ଗୁଣା ବୃଦ୍ଧି ହାସଲ କରିଥିବା ବେଳେ ବଜାଜ୍‌ ଅଟୋର ବିକ୍ରି ମଧ୍ୟ ଉଲ୍ଲେଖନୀୟ ବଢ଼ିଛି। ଟିଭି, ଫ୍ରିଜ୍, ଏସି ଭଳି ସାମଗ୍ରୀ ବିକ୍ରି କରୁଥିବା କମ୍ପାନି ଏଲ୍‌ଜି, ହାୟର ଓ ଗୋଦରେଜ୍‌ର ବିକ୍ରି ନବରାତ୍ରି ସମୟରେ ଦୁଇଗୁଣା ବଢ଼ିଛି। ହାୟରର ବିକ୍ରି ୮୫ ପ୍ରତିଶତ ବଢ଼ିଛି। ରିଲାଏନ୍ସ ରିଟେଲ୍‌ର ବିକ୍ରି ଗତବର୍ଷ ନବରାତ୍ରି ତୁଳନାରେ ୨୦-୨୫ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନି ଷ୍ଟୋର୍‌ରେ ବଡ଼ ସ୍କ୍ରିନ୍‌ର ଟିଭି, ‌ସ୍ମାର୍ଟଫୋନ୍ ଓ ଫ୍ୟାସନ ସାମଗ୍ରୀ ଅଧିକ ବିକ୍ରି ହୋଇଛି। 

ଓଡ଼ିଶାରେ ୪୮୬୫ କୋଟିର ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ବର: ଚଳିତ ବର୍ଷର ସେପ୍ଟେମ୍ବର ମାସରେ ରାଜ୍ୟରେ ୪୮୬୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି। ଏହା ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ୪୫୯୬ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୬ ପ୍ରତିଶତ ଅଧିକ। କେନ୍ଦ୍ର ସରକାର ଜିଏସ୍‌ଟିରେ କରିଥିବା ସଂସ୍କାରର ପ୍ରତିଫଳନ ଜିଏସ୍‌ଟି ସଂଗ୍ରହରେ ଦେଖିବାକୁ ମିଳିନାହିଁ। ତେଣୁ ଅକ୍ଟୋବର ତଥ୍ୟରେ ତାହା ପ୍ରତିଫଳିତ ହେବ ବୋଲି ଆଶା କରାଯାଉଛି। ଦେଶବ୍ୟାପୀ ସେପ୍ଟେମ୍ବରରେ ୧.୮୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି ଯାହା ପୂର୍ବବର୍ଷର ସେହି ସାମ ସଂଗ୍ରହ ତୁଳନାରେ ୯.୧ ପ୍ରତିଶତ ଅଧିକ। କେନ୍ଦ୍ର ସରକାର ଜିଏସ୍‌ଟିରେ ସଂସ୍କାର କରି ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ଉଚ୍ଛେଦ କରି କେବଳ ୫ ପ୍ରତିଶତ, ୧୮ ପ୍ରତିଶତ ଓ ନୂଆ ୪୦ ପ୍ରତିଶତ ସ୍ଲାବ୍ ରଖିଥିଲେ। ଦୁଇଟି ସ୍ଲାବ୍‌ ଉଚ୍ଛେଦ ପରେ କିଛି ମାସ ପାଇଁ ଜିଏସ୍‌ଟି ସଂଗ୍ରହ କମିବ ବୋଲି ଆଶଙ୍କା କରାଯାଉଥିଲା। ‌ଦୈନନ୍ଦୀନ ଜୀବନରେ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ୫ ପ୍ରତିଶତ ସ୍ଲାବ୍‌ରେ ରଖାଯାଇଥିବାରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ମିଳିଛି।