ନୂଆଦିଲ୍ଲୀ: ୨୦୪୭ ମସିହାରେ ଭାରତର ସ୍ବାଧୀନତାକୁ ୧୦୦ ବର୍ଷ ପୂରଣ ହେବ। ତେଣୁ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଲାଗି ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅନେକ ସ୍ବଳ୍ପ ମିଆଦୀ, ମଧ୍ୟମ ମିଆଦୀ ଏବଂ ଦୀର୍ଘ ମିଆଦୀ ଯୋଜନା ପ୍ରଣୟନ ହୋଇଛି। ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଲକ୍ଷ୍ୟ ରଖିଥିବା ଉଚ୍ଚ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରଗୁଡ଼ିକ ସାଧାରଣତଃ ଯେଉଁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାନ୍ତି ତା’ହେଲା ‘ମଧ୍ୟମ-ଆୟ ଯନ୍ତା’।
ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଏହି ମଧ୍ୟମ-ଆୟ ଯନ୍ତା ଏକ ବଡ଼ ବିପଦ ବୋଲି ନିତି ଆୟୋଗ ସିଇଓ ବିଭିଆର୍ ସୁବ୍ରମଣ୍ୟମ୍ କହିଛନ୍ତି। ଏହି ଯନ୍ତା କବଳରୁ ମୁକୁଳିବା ପାଇଁ ସରକାର ଏବଂ ନିତି ଆୟୋଗକୁ ମିଶି ଏକ ଅର୍ଥନୈତିକ ଅଭିବୃଦ୍ଧି ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୨୦୨୬-୨୭ ସୁଦ୍ଧା ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବାର ଯେଉଁ ଅଭିଳାଷ ରଖାଯାଇଛି ତାହାକୁ ପୂରଣ କରିବାକୁ ହେଲେ ଏକ ବଡ଼ ସମନ୍ବିତ ରଣନୀତି ଆବଶ୍ୟକ। ତେବେ ଏହି ଯନ୍ତାରୁ ମୁକୁଳିବାକୁ ହେଲେ ଭାରତକୁ ଏହାର ଅର୍ଥନୀତିକୁ ଅଧିକ ମୁକ୍ତ ବାଣିଜ୍ୟ ଆପଣଇବାକୁ ହେବ ବୋଲି ନିତି ଆୟୋଗ ସିଇଓ କହିଛନ୍ତି। ଅନ୍ୟପକ୍ଷରେ ୨୦୩୦-୩୧ ସୁଦ୍ଧା ଭାରତ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁଅର୍ସ ପକ୍ଷରୁ ଆକଳନ କରାଯାଇଛି।
ଉଚ୍ଚ-ଆୟବର୍ଗର ଦେଶ କହିଲେ ଯେଉଁ ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ ୧୪୦୦୫ ଡଲାରରୁ ଅଧିକ। ୨୦୪୭ ସୁଦ୍ଧା ଭାରତ ଉଚ୍ଚ ଆୟବର୍ଗର ଦେଶରେ ପରିଣତ ହେବାର ସାମର୍ଥ୍ୟ ମଧ୍ୟ ରହିଛି। ତେବେ ୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିଅନ ଡଲାର ଅର୍ଥନୀତି ସହିତ ମୁଣ୍ଡପିଛା ଆୟକୁ ୧୮୦୦୦ ଡଲାରରେ ପହଞ୍ଚାଇବା ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି ନିତି ଆୟୋଗ ପକ୍ଷରୁ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରସ୍ତୁତ ନକ୍ସାରେ କୁହାଯାଇଛି। ନିକଟରେ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ କୁହାଯାଇଥିଲା ଯେ ଭାରତ ଓ ଚୀନ ସମେତ ୧୦୦ରୁ ଅଧିକ ଦେଶ ମଧ୍ୟମ-ଆୟ ଯନ୍ତାରେ ପ୍ରବେଶ କରିବା ବିପଦ ରହିଛି। ବିଶ୍ବର ୭୫ ପ୍ରତିଶତ ଲୋକ ବାସ କରୁଥିବା ଏହି ଦେଶଗୁଡ଼ିକୁ ଏବେ ମଧ୍ୟମ ଆୟବର୍ଗର ରାଷ୍ଟ୍ର ଆଖ୍ୟା ଦିଆଯାଇଛି। ୧୯୯୦ ଦଶକରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୪ଟି ଦେଶ ଏହି ଯନ୍ତାରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି। ତେବେ ଏଥିରୁ ଏକ ତୃତୀୟାଂଶ ଦେଶ ୟୁରୋପୀୟ ସଂଘରେ ସାମିଲ ହେବା କିମ୍ବା ପୂର୍ବରୁ ଅନାବିଷ୍କୃତ ଥିବା ତୈଳ ଆବିଷ୍କାର ହେବା ଦ୍ବାରା ଏହି ଲାଭ ପାଇଛନ୍ତି।
ମଧ୍ୟମ-ଆୟ ଯନ୍ତା କ’ଣ?
୨୦୦୬ ମସିହାରେ ବିଶ୍ବ ବ୍ୟାଙ୍କ ମଧ୍ୟମ-ଆୟ ଯନ୍ତା ବିଷୟ ଉତ୍ଥାପିତ କରିଥିଲା। ସେବେଠାରୁ ନୀତି ପ୍ରଣେତା ଓ ଗବେଷକଙ୍କ ମଧ୍ୟରେ ଏହା ଲୋକପ୍ରିୟ ହେବାରେ ଲାଗିଛି। ଦେଶଗୁଡ଼ିକ ଯେତେବେଳେ ମଧ୍ୟମ ଆୟବର୍ଗରୁ ଉଚ୍ଚ ଆୟବର୍ଗର ଦେଶକୁ ଯିବାରେ ବିଫଳ ହୁଅନ୍ତି ସେତେବେଳେ ଏହି ଯନ୍ତା ଦେଖିବାକୁ ମିଳିଥାଏ। ସ୍ଥିର ଅଭିବୃଦ୍ଧି, ନବସୃଜନର ଅଭାବ ଏବଂ ପୁରୁଣାକାଳିଆ ଅର୍ଥନୈତିକ ମଡେଲ ପାଇଁ ଏହି ସମସ୍ୟା ଦେଖାଦେଇଥାଏ।
ଅର୍ଥନୀତିଗୁଡ଼ିକ ଯେତେବେଳେ ସେମାନଙ୍କ ପ୍ରଚଳିତ ଢାଞ୍ଚାରେ ଅଭିବୃଦ୍ଧିର ରଣନୀତି ହାସଲ କରିବାରେ ବିଫଳ ହୁଅନ୍ତି ତାହାକୁ ମଧ୍ୟମ-ଆୟ ଯନ୍ତା କୁହାଯାଏ ବୋଲି ବିଶ୍ବ ବ୍ୟାଙ୍କ ସଂଜ୍ଞା ନିରୂପଣ କରିଛି। ବିଶ୍ବବ୍ୟାଙ୍କ ଏହି ଯନ୍ତା ଦୁଇ ପ୍ରକାରର ବୋଲି ଚିହ୍ନଟ କରିଛି। ପ୍ରଥମଟି ହେଲା ଉଚ୍ଚ ମଜୁରିଜନିତ ଅସୁବିଧା ସତ୍ତ୍ବେ ଯେଉଁ ମଧ୍ୟମ ଆୟବର୍ଗର ଦେଶ ଶ୍ରମଭିତ୍ତିକ ବିନିର୍ମାଣ ରପ୍ତାନି ଦ୍ବାରା ଆଗକୁ ବଢ଼ନ୍ତି। ଦ୍ବିତୀୟଟି ହେଲା ଗୋଟିଏ ଦେଶକୁ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଲାଗି ସଂସ୍ଥାଗତ ଭିତ୍ତିଭୂମି ସ୍ଥାପନ ନକରି ସମୟ ଉପନୀତ ହେବା ପୂର୍ବରୁ ଯେଉଁ ଦେଶଗୁଡ଼ିକ ‘ଜ୍ଞାନ ଅର୍ଥନୀତି’କୁ ଲମ୍ଫ ପ୍ରଦାନ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/G8Mmc8tEYN8lySnLo18w.jpg)