କ୍ଷତିରେ ଚାଲୁଥିବା ବ୍ୟାଙ୍କ ଶାଖା ବନ୍ଦ ହେବ

ଆର୍ଥିକ ସ୍ଥିତି ସୁଧାରିବା ପ୍ରୟାସ

ନୂଆଦିଲ୍ଲୀ: ଏନ୍‌ପିଏ ଚାପରେ ଦୁର୍ବଳ ହୋଇପଡ଼ିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିିତିରେ ସୁଧାର ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଭଳି ଏକ ପଦକ୍ଷେପ ସ୍ୱରୂପ, ଯେଉଁ ସବୁ ଶାଖା କ୍ଷତିରେ ଚାଲୁଛି ସେଗୁଡ଼ିକୁ ବନ୍ଦ କରିଦେବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡ଼ିକୁୁ କୁହାଯାଇଛି। ଦେଶ ଓ ବିଦେଶ ଯେଉଁଠାରେ ଶାଖା କ୍ଷତିରେ ଚାଲୁଥିବ ସେଗୁଡ଼ିକ ବନ୍ଦ ହେବ।ଶାଖା ପରିଚାଳନାରେ ବ୍ୟାଙ୍କଗୁଡ଼ିକ ଅନେକ ପାଣ୍ଠି ଖର୍ଚ କରିବାକୁ ପଡ଼ିଥାଏ। ଯଦି କ୍ଷତିରେ ଚାଲୁଥିବା ଶାଖାଗୁଡ଼ିକ ବନ୍ଦ ହୋଇଯିବ ତେବେ ବ୍ୟାଙ୍କଗୁଡ଼ିକରେ ଅନେକ ଅର୍ଥ ସଞ୍ଚୟ ହୋଇପାରିବ।

ଏଭଳି ଶାଖାଗୁଡ଼ିକୁ ଚାଲୁ ରଖିବାରେ କୌଣସି ଲାଭ ମିଳିବ ନାହିଁ। ବରଂ ସେଗୁଡ଼ିକ ବ୍ୟାଙ୍କର ବାଲାନ୍‌ସ ସିଟ୍‌ରେ କ୍ଷତି ପରିମାଣ ବଢ଼ାଇବାର କାରଣ ହେବେ। କେବଳ ବଡ଼ ଧରଣର ସଞ୍ଚୟ ବ୍ୟତୀତ ବ୍ୟାଙ୍କଗୁଡ଼ିକ ଶାଖା ବନ୍ଦ କରିବା ଭଳି ସ୍ୱଳ୍ପ ସଞ୍ଚୟ ବିକଳ୍ପଗୁଡ଼ିକ ଉପରେ ବିଚାର କରିବା ଦରକାର ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଭଳି କେତେକ ବ୍ୟାଙ୍କ ଶାଖା ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଦେଲେଣି। ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏ କ୍ଷେତ୍ରରେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବ୍ୟାଙ୍କ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟା ୧୦କୁ ହ୍ରାସ କରିଛି। ପୂର୍ବରୁ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟା ୫୯ ଥିଲା। ବିଦେଶରେ ବ୍ୟାଙ୍କଗୁଡ଼ିକ ଯେଉଁ ଶାଖା ଖୋଲିଛନ୍ତି ସେଗୁଡ଼ିକର କାରବାର ବିଷୟରେ ଅନୁଧ୍ୟାନ କରି କିଛି ଶାଖାକୁ ପରଷ୍ପର ସହ ମିଶ୍ରଣ କରିବାକୁ କୁହାଯାଇଛି। ଯେଉଁ ଶାଖା ବ୍ୟାବସାୟିକ ଦୃଷ୍ଟିକୋଣରୁ ଲାଭଦାୟକ ନୁହେଁ, ସେଗୁଡ଼ିକୁ ବନ୍ଦ କରିଦେବାକୁ ବ୍ୟାଙ୍କଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ଦେଶରେ ଚାରି ପାଞ୍ଚ ଶାଖା ରହିବାର କୌଣସି ଆବଶ୍ୟକତା ନାହିଁ। ସବୁ ଶାଖାକୁ ମିଶାଇ ଗୋଟିଏ ସହଯୋଗୀ ସଂସ୍ଥା ଗଠନ କରାଯାଇପାରିଲେ ଭଲ ହେବ ବୋଲି ମନ୍ତ୍ରଣାଳୟ ବ୍ୟାଙ୍କଗୁଡ଼ିକୁ କହିଛି। ଯେଉଁ ଦେଶରେ କାରବାର ଭଲ ହେଉନାହିଁ ସେଠାରେ ଥିବା ଶାଖାକୁ ବନ୍ଦ କରିବା ଏବଂ କାବରାର ଭଲ ହେଉଥିବା ଦେଶଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁୁ କୁହାଯାଇଛି।

ସମ୍ବନ୍ଧିତ ଖବର