ଦେଶର ଆର୍ଥିକ କ୍ଷେତ୍ର ଘୋର ଚାପ ଦେଇ ଗତି କରୁଛି। ସ୍ଥିତି ଏତେ ଖରାପ ହୋଇଛି ଯେ ଗୋଟିଏ ପରେ ଗୋଟିଏ ଆର୍ଥିକ ସଂସ୍ଥା ବ୍ୟବସାୟରେ ବିଫଳ ହେଉଛନ୍ତି। ଗତ ଅଢ଼େଇ ବର୍ଷରେ ପାଞ୍ଚଟି ଆର୍ଥିକ ସଂସ୍ଥା ବିଫଳ ‌ହୋଇଛନ୍ତି। ସେଥି ମଧ୍ୟରୁ ତିନିଟି ହେଉଛି ବଡ଼ ଧରଣର ବ୍ୟାଙ୍କ। ବିଫଳ ହୋଇଥିବା ସଂସ୍ଥାଗୁଡ଼ିକ ହେଉଛି ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌, ଡିଏଚ୍‌ଏଫ୍‌ଏଲ୍‌, ୟେସ୍‌ ବ୍ୟାଙ୍କ, ପିଏମ୍‌ସି ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ।

Advertisment

ପିଏମ୍‌ସି ବ୍ୟାଙ୍କ
୧୯୮୪ରେ ସ୍ଥାପିତ ହୋଇଥିବା ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ବା ପିଏମ୍‌ସି ବ୍ୟାଙ୍କ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବାରୁ ଏହା ଉପରେ ୨୦୧୯ ସେପ୍ଟେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଗ୍ରାହକମାନଙ୍କ ପାଇଁ ଟଙ୍କା ଉଠାଣ ଉପରେ କଟକଣା ଲଗାଯାଇଥିଲା। ଏହି ବ୍ୟାଙ୍କରେ ହୋଇଥିବା ଜାଲିଆତି ପାଇଁ କିଛି ବରିଷ୍ଠ ଅଧିକାରୀ ଏବଂ ଏଚ୍‌ଡିଆଇଏଲ୍‌ର ମାଲିକଙ୍କୁ ଗିରଫ କରାଯାଇଛି। ପିଏମ୍‌ସି ବ୍ୟାଙ୍କର ୬ଟି ରାଜ୍ୟରେ ୧୩୭ଟି ଶାଖା ରହିଛି।

ୟେସ୍‌ ବ୍ୟାଙ୍କ
୨୦୦୪ରେ ସ୍ଥାପିତ ହୋଇଥିବା ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ହଠାତ୍‌ କଟକଣା ଲାଗୁ କରାଯାଇଥିଲା। ବ୍ୟାଙ୍କର ମୁଖ୍ୟ ରାଣା କପୁର ୪୩ ହଜାର କୋଟି ଟଙ୍କାର ମନି ଲଣ୍ଡରିଂ କରିଥିବା ଅଭିଯୋଗ ହୋଇଛି। ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ପରେ ରାଣାଙ୍କୁ ଗିରଫ କରାଯାଇଥିଲା। ଅବଶ୍ୟ କିଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସହଯୋଗରେ ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର କରାଯାଇଥିଲା।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ
୯୩ ବର୍ଷ ପୁରୁଣା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ବୋର୍ଡକୁ ରିଜର୍ଭ ବ୍ୟାଙ୍କ କିଛି ଦିନ ତଳେ ନିଜ ଅକ୍ତିଆରକୁ ଆଣିବା ସହ କାନାରା ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଟି ଏନ୍‌ ମନୋହରନଙ୍କୁ ପ୍ରଶାସକ ନିଯୁକ୍ତ କରିଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି କରାଯାଇଛି। ଡିସେମ୍ବର ୧୬ ସୁଦ୍ଧା ଏହାକୁ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ସହ ମିଶ୍ରଣ କରିବାକୁ ଉଦ୍ୟମ ହେଉଛି। ଦୀର୍ଘ ଦିନ ଧରି ଏହି ବ୍ୟାଙ୍କ କ୍ଷତିରେ ଚାଲୁଥିଲା। କର୍ପୋରେଟ୍ ସଂସ୍ଥାଗୁଡ଼ିକ ଏହା ଦେଇଥିବା ଋଣ ଏନ୍‌ପିଏରେ ପରିଣତ ହେବା ପରେ ବ୍ୟାଙ୍କର ସ୍ଥିତି ଖରାପ ହୋଇଥିଲା।

ଡିଏଚ୍‌ଏଫ୍‌ଏଲ
ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ (ଡିଏଚ୍‌ଏଫ୍‌ଏଲ୍‌) ନାମକ ଆର୍ଥିକ ସଂସ୍ଥାରେ ୩୧ ହଜାର କୋଟି ଟଙ୍କାର ଜାଲିଆତି ହୋଇଥିଲା। ଏହାର ପ୍ରତିଷ୍ଠାତା କପିଲ ଓ ଧୀରଜ ୱାଧୱାନ ସଂସ୍ଥାର ବିପୁଳ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଜାଲ କଂପାନି ଗଠନ କରି ଏହି ଟଙ୍କା ହଡ଼ପ କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବରରେ ୱାଧୱାନ ଭ୍ରାତାଙ୍କୁ ତାମିଲନାଡୁରେ ଗିରଫ କରାଯାଇଥିଲା। ଏହା ପ୍ରଥମ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଯାହାର ବିଚାର ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଅଧୀନରେ ଚାଲିଛି। ଆଦାନି ଗ୍ରୁପ୍, ପିରାମଲ୍ ଏଣ୍ଟରପ୍ରାଇଜେସ୍ ଓ ଓକ୍‌ଟ୍ରି ଓ ଏଲ୍‌ସି ଲୋଇ ଭଳି ସଂସ୍ଥା ଏହାକୁ କିଣିବା ଦୌଡ଼ରେ ଅଛନ୍ତି।

ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌
ଇନଫ୍ରାଷ୍ଟ୍ରକ୍‌ଚର୍‌ ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ୍ ସର୍ଭିସେସ୍‌ (ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌) ହେଉଛି ଏକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଯାହା ଭିତ୍ତିଭୂମି ପ୍ରକଳ୍ପର ଫାଇନାନ୍ସ କରୁଥିଲା। ସଂସ୍ଥାର ଘୋର ଆର୍ଥିକ ସଙ୍କଟ ଦେଖାଦେବାରୁ ଏହା ନିଜର ମୌଳିକ କାର୍ଯ୍ୟ କରିପାରିନଥିଲା। ୨୦୧୮ରେ ଏହାର ପତନ ଆରମ୍ଭ ହୋଇଥିଲା।