ଭୁବନେଶ୍ବର: ଓଡ଼ିଶାର ତିନିଟି କୋଇଲା ଖଣିକୁ ପୁନର୍ବାର ନିଲାମ କରିବା ଲାଗି ଉଦ୍ୟମ କରାଯିବ। ଚଳିତ ବର୍ଷ ମାର୍ଚ୍ଚରେ ଏହି ଖଣିଗୁଡ଼ିକୁ ବିକ୍ରି କରିବା ଲାଗି ଉଦ୍ୟମ ହୋଇଥିଲା। କିନ୍ତୁ ମାତ୍ର ଗୋଟିଏ ଲେଖାଏଁ ବିଡ୍‌ ଆସିବାରୁ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିନଥିଲା। ପୁଣି ଥରେ ସେହି ଖଣିଗୁଡ଼ିକୁ ବିକ୍ରି କରିବା ଲାଗି ଉଦ୍ୟମ ହେବ। ଏଥିପାଇଁ ଆଜି ଠାରୁ ଟେଣ୍ଡର ଦସ୍ତାବିଜ ବିକ୍ରି ଆରମ୍ଭ ହୋଇଛି। କଂପାନିଗୁଡ଼ିକ ଏମ୍ଏମ୍‌ଟିସି ୱେବସାଇଟ୍‌ରେ ଖଣି ଓ ନିଲାମ ପ୍ରକ୍ରିୟା ସମ୍ପର୍କିତ ଅନ୍ୟାନ୍ୟ ବିବରଣୀ ହାସଲ କରିପାରିବେ।

Advertisment

ନିଲାମ ହେବାକୁ ଥିବା ଓଡ଼ିଶାର ତିନିଟି ଖଣି ହେଉଛି ଅଳକାନନ୍ଦା, ବୁରାପାହାଡ଼ ଓ ଡିପ୍ ଏକ୍ସଟେନ୍‌ସନ୍ ବେଲ୍‌ପାହାଡ଼। ଅନୁଗୁଳର ଛେଣ୍ଡିପଦା ବ୍ଲକ୍‌ରେ ରହିଛି ଅଳକାନନ୍ଦା କୋଇଲା ଖଣି ଯେଉଁଥିରେ ୫୦୦ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ଏହା ହେଉଛି ଏକ ଆଂଶିକ ଅନୁସନ୍ଧାନ ହୋଇଥିବା ଖଣି। ବୁରାପାହାଡ଼ ଖଣି ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ତହସିଲରେ ରହିଛି। ଏଥିରେ ୫୪୭.୮୮୯ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଥିବା ବେଳେ ଏହା ହେଉଛି ଏକ ପୂର୍ଣ୍ଣ ଅନୁସନ୍ଧାନ ହୋଇଥିବା ଖଣି। ଡିପ୍‌ ଏକ୍ସଟେନ୍‌ସନ୍ ବେଲପାହାଡ଼ ଖଣି ଝାରସୁଗୁଡ଼ାର ଲଖନପୁର ତହସିଲରେ ରହିଛି। ଏହି ଆଂଶିକ ଅନୁସନ୍ଧାନ ହୋଇଥିବା ଖଣିରେ ୨୫୦୦ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି।

ସାରା ଦେଶରେ ୧୧ଟି ଖଣିକୁ ପୁନର୍ବାର ବିକ୍ରି କରିବା ଲାଗି ଉଦ୍ୟମ କରାଯିବ। ସେଥିରେ ଓଡ଼ିଶାର ୩ଟି, ଝାଡ଼ଖଣ୍ଡର ୩ଟି, ମଧ୍ୟପ୍ରଦେଶର ୨ଟି, ଛତିଶଗଡ଼ର ୨ଟି ଓ ମହାରାଷ୍ଟ୍ରର ଗୋଟିଏ ‌ଖଣି ରହିଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲାଇନ୍‌ରେ ଏହି ଖଣିଗୁଡ଼ିକୁ ନିଲାମ କରାଯିବ। ଦୁଇଟି ପ୍ରକ୍ରିୟାରେ ରାଜସ୍ବ ଭାଗବଣ୍ଟା ଆଧାରରେ ନିଲାମ ହେବ। ଏଥର ନିଲାମ ପାଇଁ କେତେକ ସର୍ତ୍ତକୁ କୋହଳ କରାଯାଇଛି। ଜାତୀୟ କୋଇଲା ସୂଚୀକୁ ବ୍ୟବହାର କରାଯାଇଥିବା ବେଳେ ଏହି ଖଣିଗୁଡ଼ିକ ଲାଗି ବିଡ୍ ଦାଖଲ କରିବା ପାଇଁ ପୂର୍ବରୁ କୋଇଲା ଖଣି ଖନନ କରିଥିବାର ଅଭିଜ୍ଞତା ଦରକାର ପଡ଼ିବନି। କୋଇଲା ବ୍ୟବହାରକୁ ନେଇ ପୂର୍ଣ୍ଣ ସ୍ବାଧୀନତା ମିଳିବ। ଉନ୍ନତ ପେମେଣ୍ଟ୍‌ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଗୁଆ ଉତ୍ପାଦନ ଓ ସ୍ବଚ୍ଛ କୋଇଲା ପ୍ରଯୁକ୍ତି ବ୍ୟବହାର ପାଇଁ ପ୍ରୋତ୍ସାହନ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।