୧୦୦ ଟଙ୍କା ପେଟ୍ରୋଲ କ୍ଲବରେ ଆଉ ୩ ରାଜ୍ୟ: ପୁଣି ବଢ଼ିଲା ତେଲ ଦର ମେ ୪ରୁ ୩୮ ଥର ବଢ଼ିଲାଣି

ଭୁବନେଶ୍ବରରେ ୧୦୧.୭୨ ଟଙ୍କା

ନୂଆଦିଲ୍ଲୀ, ୧୦/୭: ଦେଶରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଦର ୨୬ ପଇସା ବଢ଼ିଛି। ଫଳରେ ଦୁଇ ଇନ୍ଧନ ଦର ଆଉ ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଏଥିସହିତ ଆଜି ଉତ୍ତର ପ୍ରଦେଶ, ଛତିଶଗଡ଼ ଏବଂ ନାଗାଲାଣ୍ଡରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଏହାଦ୍ବାରା ୧୦୦ ଟଙ୍କା ପେଟ୍ରୋଲ ଦର ଟପିଥିବା ରାଜ୍ୟ ତାଲିକାରେ ଏହି ୩ ରାଜ୍ୟ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶରର ରାମପୁର ଜିଲ୍ଲା, ଛତିଶଗଡ଼ର କାଙ୍କେର, ଯଶପୁର, ନାରାୟଣପୁର ଜିଲ୍ଲା ଏବଂ ନାଗାଲାଣ୍ଡର କୋହିମାରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରାଯାଇଛି। ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେ‌ଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡ଼ୁ, କେରଳ, ବିହାର, ପଞ୍ଜାବ, ସିକିମ୍ ଆଦି ରାଜ୍ୟ ସ‌ହିତ ଜମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡ଼ିଚେରି ଆଦି କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି। ସେହିଭଳି ଓଡ଼ିଶା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଡିଜେଲ ଦର ମଧ୍ୟ ପୂର୍ବରୁ ୧୦୦ ଟଙ୍କା ଟପିସାରିଛି।

ଦେଶରେ ୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରକୁ ପ୍ରାୟ ୧୮ ଦିନ ଧରି ଅପରିବର୍ତ୍ତିତ ରଖିଥିଲେ। କିନ୍ତୁ ମେ ୨ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇଥିଲା। ଏହା ପରେ ମେ ୪ ତାରିଖରୁ ଆଜି ସୁଦ୍ଧା ପେଟ୍ରୋଲ ଦର କମ୍ପାନି ଗୁଡ଼ିକ ୩୮ ଥର ଏବଂ ଡିଜେଲ ଦର ୩୬ ଥର ବଢ଼ାଇଲେଣି। ୩୮ ଥରରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୧୦ ଟଙ୍କା ୫୧ ପଇସା ଏବଂ ଡିଜେଲ ଦର ୩୬ ଥରରେ ପ୍ରାୟ ୯ ଟଙ୍କା ୧୫ ପଇସା ବଢ଼ିଛି।

ଆଜିର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ୧୦୦ ଟଙ୍କା ୯୧ ପଇସା ଏବଂ ଡିଜେଲ ଦର ୮୯ ଟଙ୍କା ୮୮ ପଇସାରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ଦେଶରେ ‌ପେଟ୍ରୋଲ ଏବଂ ଡିଜେଲ ଉପରେ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ହାରରେ ଭାଟ୍ ଆଦାୟ କରୁଛନ୍ତି। ଏଥିସହିତ ମାଲ ପରିବହନ ଭଡ଼ା ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହୁଛି। ଏଥିପାଇଁ ଦୁଇ ଇନ୍ଧନ ଦରରେ ରାଜ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରହୁଛି। ଦିଲ୍ଲୀରେ ପେଟ୍ରୋଲର ଖୁଚୁରା ମୂଲ୍ୟ ଉପରେ ଲୋକଙ୍କୁ ପାଖାପାଖି ୫୫ ପ୍ରତିଶତ ଟିକସ ଗଣିବାକୁ ପଡ଼ୁଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ୩୨ ଟଙ୍କା ୯୦ ପଇସା ଏବଂ ରାଜ୍ୟ ସରକାର ଭାଟ୍ ବାବଦରେ ୨୨ ଟଙ୍କା ୮୦ ପଇସା ଆଦାୟ କରୁଛନ୍ତି। ସେହିଭଳି ଡିଜେଲ ଉପରେ ପାଖାପାଖି ୫୦ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଆକାରରେ ୩୧ ଟଙ୍କା ୮୦ ପଇସା ଏବଂ ରାଜ୍ୟ ସରକାର ଭାଟ୍ ବାବଦରେ ୧୩ ଟଙ୍କା ୦୪ ପଇସା ଆଦାୟ କରୁଛନ୍ତି।

ଗତବର୍ଷ କରୋନାର ପ୍ରଥମ ଲହର ବେଳେ ସରକାରଙ୍କ ରାଜସ୍ବ ଆଦାୟ ହ୍ରାସ ପାଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ରେକର୍ଡ ନିମ୍ନସ୍ତରକୁ ଖସି ଆସିଥିଲା। ତାହାର ଲାଭ ଗ୍ରାହକଙ୍କୁ ଦେବା ପରିବର୍ତ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁଇ ଇନ୍ଧନ ଉପରେ ଟିକସ ବଢ଼ାଇ ଦେଇଥିଲେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି। ବର୍ଦ୍ଧିତ ଟିକସକୁ ସରକାର କମାଉ ନଥିବାରୁ ସେହି ବୋଝକୁ ଗ୍ରାହକ ବୋହି ଆସୁଛନ୍ତି। ନିକଟରେ ମୋଦୀ ସରକାର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ କରିଛନ୍ତି। ସେଥିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ କାଢ଼ି ନେଇ ହରଦୀପ ସିଂହ ପୁରୀଙ୍କ ହାତରେ ଦେଇଛନ୍ତି। ତେବେ ଏ ସଂପର୍କରେ ଅବଗତ ହେବା ପରେ ହିଁ ସେ ଯାହାକିଛି ମନ୍ତବ୍ୟ ଦେବେ ବୋଲି ଦାୟିତ୍ବ ନେବା ପରେ କହିଥିଲେ।

ଭୁବନେଶ୍ବରରେ ୧୦୧.୭୨ ଟଙ୍କା

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ପରେ ଦେଶରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ୩୫ ପଇସା ବଢ଼ି ୧୦୧ ଟଙ୍କା ୭୨ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ଘଟି ୯୭ ଟଙ୍କା ୯୫ ପଇସା ଛୁଇଁଛି। ଚଳିତମାସ ଦୁଇ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ବରର କେତେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଥିଲା। ସେବେଠାରୁ ଆଜି ସୁଦ୍ଧା ପେଟ୍ରୋଲ ଦର ପାଖାପାଖି ୧ ଟଙ୍କା ୭୦ ପଇସା ବୃଦ୍ଧି ଘଟିଛି। ତେବେ ଡିଜେଲ ଦର ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ବରରେ ଲିଟର ପିଛା ପାଖାପାଖି ୭୬ ପଇସା ବଢ଼ିଛି।

ସମ୍ବନ୍ଧିତ ଖବର