ଗୁରୁବାର ବଜେଟ୍‌ : ଆୟକରରେ ମିଳିପାରେ ରିହାତି

ନୂଆଦିଲ୍ଲୀ, : ଆସନ୍ତା ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଗତ କରିବାକୁ ଥିବା ବଜେଟ୍‌ରେ ଆୟକରଦାତାଙ୍କୁ କିଛିଟା ରିହାତି ଦେଇପାରନ୍ତି ବୋଲି ଅର୍ଥନୀତିଜ୍ଞ ଓ ବଜାର ବିଶ୍ଳେଷକମାନେ ଆଶା ରଖିଛନ୍ତି। ଗତ ବଜେଟ୍‌ରେ ଅର୍ଥମନ୍ତ୍ରୀ ଟିକସ ସ୍ଲାବ୍‌କୁ ଅପରିବର୍ତିତ ରଖିଥିଲେ। କିନ୍ତୁ ସ୍ୱଳ୍ପ ପରିମାଣର ଟିକସ ପ୍ରଦାନ କରୁଥିବା ଆୟକରଦାତାଙ୍କ ପାଇଁ ଟିକସ ହାର ହ୍ରାସ କରିଥିଲେ। ବର୍ଷକୁ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଟିକସ ହାର ୧୦ ପ୍ରତିଶତରୁ ୫ ପ୍ରତିଶତକୁ ଖସାଇ ଦେଇଥିଲେ। କିନ୍ତୁ ଆଗାମୀ ବଜେଟ୍‌ରେ ଅର୍ଥମନ୍ତ୍ରୀ ଏଭଳି କିଛିଟା ରିହାତି ଦେବେ ବୋଲି ଆଶା ରହିଛି।
ଷ୍ଟାଣ୍ଡାର୍ଡ ଡିଡକ୍ସନର ପୁନଃ ପ୍ରଚଳନ
ପ୍ରଥମତଃ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ପୁନର୍ବାର ଲାଗୁ କରାଯାଇପାରେ। ସରକାର ଏବେ ପ୍ରଦାନ କରୁଥିବା ଏକାଧିକ ଟିକସ ଛାଡ଼ ସ୍ଥାନରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ଲାଗୁ କରିପାରନ୍ତି। ପୂର୍ବରୁ ଲୋକଙ୍କୁ ସେମାନଙ୍କ ଟିକସଯୋଗ୍ୟ ଆୟ ଉପରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ପ୍ରଦାନ କରାଯାଉଥିଲା। କିନ୍ତୁ ୨୦୦୬-୦୭ ଆକଳନ ବର୍ଷରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଟିକସଦାତାଙ୍କୁ ଅତିକମ୍‌ରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନ ଦେବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି।
ଟିକସ ଛାଡ଼ ସୀମା ବୃଦ୍ଧି
ଲୋକଙ୍କ ହାତରେ ଅଧିକ କ୍ରୟ କ୍ଷମତା ପ୍ରଦାନ କରିବା ଲାଗି ଅର୍ଥମନ୍ତ୍ରୀ ବଜେଟ୍‌ରେ ବ୍ୟବସ୍ଥା କରିପାରନ୍ତି। ବିଶେଷକରି ଆୟକର ଛାଡ଼ ସୀମାକୁ ବର୍ତମାନର ଅଢ଼େଲ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି।
ଚିକିତ୍ସା ଖର୍ଚ ଭରଣା ରାଶି ବୃଦ୍ଧି
ଟିକସଦାତାଙ୍କୁ ଚିକିତ୍ସା ଖର୍ଚ ଭରଣା ବାବଦରେ ଏବେ ବର୍ଷକୁ ୧୫ ହଜାର ଟଙ୍କାର ସୁବିଧା ମିଳୁଛି। ୧୯୯୯ ମସିହାରୁ ଏହି ସୁବିଧା ମିଳୁଛି। ତେବେ ଏହାକୁ ଅତିକମ୍‌ରେ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ବିଭିନ୍ନ ମହଲରେ ଦାବି ହୋଇ ଆସୁଛି। ଏ ନେଇ ଅର୍ଥମନ୍ତ୍ରୀ କିଛିଟା ପଦକ୍ଷେପ ନେଇପାରନ୍ତି।

ସମ୍ବନ୍ଧିତ ଖବର