ଛୋଟ ସହରରେ ଷ୍ଟାର୍ଟଅପ୍‌ ସଂଖ୍ୟା ବଢୁଛି

ନାସକମ୍‌ ରିପୋର୍ଟ

ଭୁବନେଶ୍ୱର : ଦେଶରେ ୨ୟ ଓ ୩ୟ ଶ୍ରେଣୀ ସହରଗୁଡ଼ିକ କ୍ରମଶଃ ନୂଆ ଷ୍ଟାର୍ଟଅପ୍‌ କେନ୍ଦ୍ର ଭାବେ ଉଭା ହେଉଛନ୍ତି । ସକ୍ରିୟ ଇନକୁବେଟର ଓ ଆସିଲରେଟରମାନଙ୍କ ଉପସ୍ଥିତି ଯୋଗୁଁ ଛୋଟ ସହରର ଷ୍ଟାର୍ଟ ଅପଗୁଡିକ ମଧ୍ୟ ବଡ ସହରର ଷ୍ଟାର୍ଟଅପ ମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିପାରୁଛନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ସର୍ବଭାରତୀୟ ସ୍ତରରେ ସଫ୍ଟଓ୍ଵାର କମ୍ପାନିମାନଙ୍କ ସଂଘ ନାସକମ୍‌ ଓ ଜିନୋଭ ପକ୍ଷରୁ ମିଳିତଭାବେ ଏହି ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏହି ରିପୋର୍ଟ ଅନୁଯାୟୀ ଭାରତର ମୋଟ ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରୁ ୨ୟ ଓ ୩ୟ ଶ୍ରେଣୀ ସହରରେ ୨୦% ଷ୍ଟାର୍ଟଅପ୍‌ ରହିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦେଶରେ ସକ୍ରିୟ ଥିବା ମୋଟଇନକୁବେଟର ଓ ଆସିଲରେଟର ମଧ୍ୟରୁ ୪୦% ଅହମ୍ମଦାବାଦ, ପୁନା, ଜୟପୁର, ଲକ୍ଷ୍ନୌ ଓ ଚଣ୍ଡିଗଡ଼, ଭୁବନେଶ୍ୱର ଆଦି ୨ୟ ଶ୍ରେଣୀ ଓ ୩ୟ ଶ୍ରେଣୀ ସହରରେ ଅଛନ୍ତି । ଇନକୁବେଟର ଗୁଡିକ ସାଧାରଣତଃ ଗୋଟିଏ ଷ୍ଟାର୍ଟ ଅପ ଆଇଡିଆକୁ ସାକାର ରୂପ ଦେଇଥାନ୍ତି, କିନ୍ତୁ ଆସିଲରେଟର ଷ୍ଟାର୍ଟ ଅପଗୁଡିକୁ ଅଭିବୃଦ୍ଧି ପଥରେ ଆଗେଇ ନିଅନ୍ତି ।

୨୦୧୬ ତୁଳନାରେ ୨୦୧୭ରେ ଇନକୁବେଟର ଓ ଆସିଲରେଟର ସଂଖ୍ୟା ୩୫% ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଦେଶରେ ଏବେ ୧୯୦ ସକ୍ରିୟ ଇନକୁବେଟର ଓ ଆସିଲରେଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୯୦ ହେଉଛନ୍ତି ଶିକ୍ଷାବିତ୍‌ । ଅବଶିଷ୍ଟ ହେଉଛନ୍ତି କର୍ପୋରେଟ, ସରକାର ଓ ବେସରକାରୀ ସଂସ୍ଥା । ସାଧାରଣତଃ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଶିକ୍ଷାନୁଷ୍ଠାନ ରହିଥିବାରୁ ଏଠାରେ ଏହି କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି ।

ସମ୍ବନ୍ଧିତ ଖବର