ନୂଆଦିଲ୍ଲୀ: ଗତ ଜୁନ୍ ୨୯ରୁ ଚୀନ୍ ଆପ୍ଗୁଡ଼ିକରେ ଭାରତ ଯେଉଁ ଅଭିଯାନ ଆରମ୍ଭ କରିଥିଲା ତାହା ଏକ ବିଶ୍ବବ୍ୟାପୀ ଅଭିଯାନରେ ପରିଣତ ହୋଇଛି। ଟିକ୍ଟକ୍ ସମେତ ଚୀନ୍ର ୫୯ଟି ଆପ୍କୁ ଭାରତ ନିଷିଦ୍ଧ ଘୋଷଣା କରିବା ପରେ ଏବେ ବିଶ୍ବର ଅନେକ ଦେଶର ଚୀନ୍ର ବିଭିନ୍ନ ପ୍ରକାର ଆପ୍ ବିଶେଷ କରି ଟିକ୍ଟକ୍କୁ ନିଷିଦ୍ଧ କରିବା ଉପରେ ବିଚାର କରୁଛନ୍ତି। ଆମେରିକା, ତୁର୍କୀ, ହଂକଂ, ଅଷ୍ଟ୍ରେଲିଆ, ବ୍ରିଟେନ୍, ନ୍ୟୁଜିଲ୍ୟାଣ୍ଡ୍ ଓ ଜାପାନରେ ଚୀନ୍ର ବିଭିନ୍ନ ପ୍ରକାର ଆପ୍କୁ ନିଷିଦ୍ଧ କରିବା କିମ୍ବା ସେଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ବିଷୟରେ ବିଚାର କରାଯାଉଛି। ଟିକ୍ଟକ୍ ଓ ୱିଚାଟ୍ ଉପରେ ଜାପାନ କଟକଣା ଲଗାଇବାକୁ ଚାହୁଛି। ଆମେରିକା ସରକାର ଟିକ୍ଟକ୍କୁ କିଣିନେବା ଲାଗି ଉଦ୍ୟମ କରୁଛନ୍ତି। ବ୍ରିଟେନ୍ର କନ୍ଜରଭେଟିଭ୍ ପାର୍ଟିର ସାଂସଦମାନେ ଟିକ୍ଟକ୍କୁ ନିଷିଦ୍ଧ କରିବା ଦାବି କରିଛନ୍ତି। ଟିକ୍ଟକ୍ ଓ ୱିଚାଟ୍କୁ ନିଷିଦ୍ଧ କରିବା ଲାଗି ଅଷ୍ଟ୍ରେଲିଆରେ ଦାବି କରାଯାଉଛି। ଗତ ଜୁଲାଇ ୬ରେ ହଂକଂରୁ ଟିକ୍ଟକ୍ ବିଦାୟ ନେଇଛି। ଗତ ଜୁଲାଇ ୨ରେ ଟିକ୍ଟକ୍ ବିରୋଧରେ ତୁର୍କୀରେ ତଦନ୍ତ ଆରମ୍ଭ କରାଯାଇଛି।
ସାଂଘାଇ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ଟକ୍କୁ ନିଷିଦ୍ଧ କରିବେ ବୋଲି ଘୋଷଣା କରିଥିଲେ। ଏହାପରେ ଆମେରିକାର ମାଇକ୍ରୋସଫ୍ଟ କମ୍ପାନି ଚୀନର ଏହି ଲୋକପ୍ରିୟ ଆପ୍କୁ କିଣିବ୍ ବୋଲି ଏବେ କୁହାଯାଉଛି। ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନାଡେଲା ଏ ସଂପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହୋଇଛନ୍ତି। ୪୫ ଦିନ ମଧ୍ୟରେ ମାଇକ୍ରୋସଫ୍ଟ ସହିତ ବିକ୍ରି ରାଜିନାମା ସଂପୂର୍ଣ୍ଣ କରିବାକୁ ଚୀନ କମ୍ପାନିକୁ ଟ୍ରମ୍ପ କହିବା ପରେ ଏହାକୁ ଚୀନ ଏକପ୍ରକାର ଧମକଭାବେ ଧରିନେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଏସଂପର୍କରେ ଏକ ଲେଖା ଓ ସମ୍ପାଦକୀୟ ମଧ୍ୟ ପ୍ରକାଶ ପାଇଛି। ଉକ୍ତ ଲେଖାରେ ସ୍ପଷ୍ଟ ଦିବାଲୋକରେ ଆମେରିକାର ଡକାୟତି ଚୀନକୁ କ୍ଷୁବ୍ଧ କରିଛି ବୋଲି ଉଲ୍ଲେଖ କରାଯାଇଛି। ଆମେରିକା ଯଦି ଏଭଳି ଯୋଜନାବଦ୍ଧ କାର୍ଯ୍ୟ କରେ ତାହେଲେ ଚୀନ ନିକଟରେ ମଧ୍ୟ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ପନ୍ଥା ରହିଛି ବୋଲି ଏଥିରେ କୁହାଯାଇଛି।