ଟିକ୍‌ଟକ୍‌ ନିଷିଦ୍ଧ, ଚୀନ୍‌ ବିଚଳିତ

ପ୍ରତିଶୋଧ ପରାୟଣ ଚୀନ୍ ଅଟକାଇଲା ଭାରତୀୟ ସମ୍ବାଦପତ୍ର, ୱେବସାଇଟ୍‌

ନୂଆଦିଲ୍ଲୀ: ଭାରତ ସରକାର ସୋମବାର ଟିକ୍‌ଟକ୍ ସମେତ ୫୯ଟି ଲୋକପ୍ରିୟ ଚୀନୀ ମୋବାଇଲ୍ ଆପ୍ ଉପରେ ନିଷିଦ୍ଧାଦେଶ ଜାରି କରିବା ଘଟଣାରେ ଚୀନ୍‌ ଭୀଷଣ ଭାବେ ବିବ୍ରତ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି। ତେବେ ସେମାନେ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତର୍ଜମା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷେ, ଚୀନୀ ବ୍ୟବସାୟ ପ୍ରକ୍ରିୟାକୁ କାଏମ୍ ରଖିବା ଦିଗରେ ଭାରତର ଦାୟିତ୍ବ ରହିଛି ବୋଲି ସେ ଟିପ୍ପଣୀ କରିଛନ୍ତି।

ସୂଚନା ଥାଉ କି, ସେହି ସବୁ ଚୀନୀ ଆପ୍ ଭାରତର ଏକତା, ସଂହତି, ସାର୍ବଭୌମତ୍ବ, ପ୍ରତିରକ୍ଷା, ଅନ୍ତଃସୁରକ୍ଷା ଓ ସର୍ବସାଧାରଣ ଶୃଙ୍ଖଳା ପ୍ରତି ବିପଜ୍ଜନକ ଦର୍ଶାଇ ଭାରତ ସରକାର ଏପରି ନିଷିଦ୍ଧାଦେଶ ଜାରି କରିଛନ୍ତି। ତେବେ ଚୀନ୍ କର୍ତ୍ତୃପକ୍ଷ ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ଗୁରୁତର ସହ ନେଇ ଏହାକୁ ତୀବ୍ର ଭାବରେ ବିରୋଧ କରେ ବୋଲି ଚୀନୀ ଦୂତାବାସ ପକ୍ଷରୁ କୁହାଯାଇଛି। କିଛି ନିର୍ଦ୍ଦିଷ୍ଟ ଆପ୍ ଉପରେ କିଛି ଅସ୍ପଷ୍ଟ ଓ କ୍ଲିଷ୍ଟ କାରଣ ଭିତ୍ତିରେ ଭାରତର ଏଭଳି ପସନ୍ଦଗତ ଭେଦଭାବପୂର୍ଣ୍ଣ ପଦକ୍ଷେପ ସ୍ବଚ୍ଛ ତଥା ନିଷ୍ପକ୍ଷ ବାଣିଜ୍ୟ ପରିଚାଳନାର ବିରୁଦ୍ଧାଚରଣ କରୁଛି। ଏପରିକି ଏହା ଗ୍ରାହକଙ୍କ ହିତ କି ଭାରତରେ ବାଣିଜ୍ୟ ପ୍ରତିଯୋଗିତା ଦୃଷ୍ଟିରୁ ମଧ୍ୟ ଅନୁକୂଳ ନୁହେଁ। ଏପରି ନିଷିଦ୍ଧାଦେଶ ସେସବୁ ଆପ୍‌କୁ ପାଥେୟ କରି ଜୀବିକାର୍ଜନ କରୁଥିବା ସ୍ଥାନୀୟ ଭାରତୀୟ କର୍ମଜୀବୀଙ୍କ ସମେତ ଭାରତୀୟ ବ୍ୟବହାରକାରୀଙ୍କୁ ମଧ୍ୟ ପ୍ରଭାବିତ କରିବ। ତେଣୁ ଏ ପରିପ୍ରେକ୍ଷୀରେ ଉଭୟ ଦେଶର ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗର ପାରସ୍ପରିକ ଫାଇଦାକୁ ଭାରତ ସ୍ବୀକାର କରିବ ବୋଲି ଚୀନୀ ଦୂତାବାସ ପକ୍ଷରୁ ଆଶାବାଦୀ ଥିବା କୁହାଯାଇଛି। ସେହିପରି ଉଭୟ ଦେଶର ମୌଳିକ ସ୍ବାର୍ଥ ତଥା ଦ୍ବିପାକ୍ଷିକ ସମ୍ପର୍କକୁ ବିଚାର କରି ଭାରତ ଏଭଳି ଭେଦଭାବପୂର୍ଣ୍ଣ ଅଭ୍ୟାସରୁ ନିବୃତ୍ତ ରହିବା ଉଚିତ ବୋଲି ଚୀନ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।

ପ୍ରତିଶୋଧ ପରାୟଣ ଚୀନ୍ ଅଟକାଇଲା ଭାରତୀୟ ସମ୍ବାଦପତ୍ର, ୱେବସାଇଟ୍‌
ବେଜିଂ : ଜୁନ୍‌ ୧୫ ତାରିଖ ଲଦାଖ ସଂଘର୍ଷ ପରଠାରୁ ଭାରତ ଏବଂ ଚୀନ୍‌ ମଧ୍ୟ‌ରେ ଉତ୍ତେଜନା ବଢ଼ି ଚାଲିଛି। ଭାରତ ପକ୍ଷରୁ ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ କରାଯିବା ପରେ ଚୀନ୍ ପ୍ରତିଶୋଧ ପରାୟଣ ହୋଇଛି। ଭାରତର ସମ୍ବାଦପତ୍ର ଓ ୱେବସାଇଟ୍‌ଗୁଡ଼ିକ ଉପରେ ଚୀନ୍ କଟକଣା ଲଗାଇଛି। ଫଳରେ ସେଠାକାର ଲୋକମାନଙ୍କ ପାଖରେ ଭାରତୀୟ ସମ୍ବାଦପତ୍ର ଓ ୱେବସାଇଟ୍‌ ପହଞ୍ଚିପାରୁନି। କେବଳ ଭିପିଏନ୍‌ (ଭର୍ଚୁଆଲ ପ୍ରାଇଭେଟ୍‌ ନେଟୱାର୍କ‌୍) ସର୍ଭର୍‌ ଥିବା ଭାରତୀୟ ଗଣମାଧ୍ୟମ ୱେବସାଇଟ୍ ସେଠାରେ ଖୋଲୁଛି। ଇଣ୍ଟରନେଟ୍‌ ପ୍ରୋଟୋକଲ୍‌ ଟିଭି (ଆଇପିଟିଭି) ଦ୍ବାରା ଭାରତୀୟ ଟିଭିଚ୍ୟାନେଲ୍‌ ଗୁଡ଼ିକୁ ସେଠାକାର ଲୋକେ ଦେଖିପାରୁଛନ୍ତି। କିନ୍ତୁ ଗତ ୨ ଦିନ ଧରି ଆଇଫୋନ୍‌ ଏବଂ ଡେସ୍କଟପ୍‌ରେ ଏକ୍ସପ୍ରେସ୍‌ ଭିପିଏନ୍‌ ଚା‌ଲୁନି। ଭିପିଏନ୍‌ ହେଉଛି ଅତି ଶକ୍ତିଶାଳୀ ବ୍ୟବସ୍ଥା ଯାହା ଲୋକମାନଙ୍କ ଅନଲାଇନ୍‌ ଗୋପନୀୟତାକୁ ସୁରକ୍ଷା ଦେଇଥାଏ। କିନ୍ତୁ ଚୀନ୍‌ ଏଭଳି ଅତ୍ୟାଧୁନିକ ‌ପ୍ରଯୁକ୍ତି ବିକାଶିତ କରିପାରିଛି ଯାହା ଭିପିଏନ୍‌କୁ ବ୍ଲକ୍‌ କରିଦେଇପାରୁଛି। ଲଦାଖ୍‌ ସଂଘର୍ଷ ପରେ ଭାରତ ଏବଂ ଚୀନ୍‌ ମଧ୍ୟରେ ତିକ୍ତତା ବଢ଼ି ଚାଲିଛି। ଚୀନ୍‌ ସରକାର ଆଇପି ଆଡ୍ରେସ୍‌, ଡିଏନ୍‌ଏସ୍‌ ଆଟାକ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କୌଶଳ ପ୍ରୟୋଗ କରି ଗଣମାଧ୍ୟମକୁ ନିୟନ୍ତ୍ରଣ କରିଥାନ୍ତି। ଚୀନ୍‌ ଅନେକ ୱେବସାଇଟ୍‌କୁ ବ୍ଲକ୍‌ କରିଛି। ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ସେହିପରି ଖବର ପ୍ରଦାନ କରୁଥିବା ବ୍ଲୁମ୍‌ବର୍ଗ‌୍, ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଏବଂ ଦି ନ୍ୟୁୟର୍କ ଟାଇମ୍ସକୁ ମଧ୍ୟ ଚୀନ୍‌ ବ୍ଲକ୍‌ କରିଛି।

ଖୋଜିଲେ ମିଳୁନି ଟିକ୍‌ଟକ୍‌
ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ ଓ ଆପଲ୍ ଆପ୍‌ ଷ୍ଟୋର୍‌ରୁ ହଟାଇ ଦିଆଯାଇଛି। ଟିକ୍‌ଟକ୍ ସର୍ଚ କଲେ ଭାରତ ସରକାର ନିଷିଦ୍ଧ କରିଥିବା ସୂଚନା ଆସୁଛି। ତେବେ କେଉଁ ସମସ୍ୟା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ତାହା ଜାଣିବା ଲାଗି କଂପାନି ସରକାରଙ୍କ ସହ ଯୋଗାଯୋଗରେ ରହିଛି। ଆମେ କୌଣସି ତଥ୍ୟ ଚୀନ୍‌ କିମ୍ବା ଅନ୍ୟ କୌଣସି ଦେଶକୁ ଦେଇନାହୁଁ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଟିକ୍‌ଟକ୍ ନିଷିଦ୍ଧ ହେବା ପରେ ଏହା ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଲୋକମାନେ ଭାଙ୍ଗିପଡ଼ିଛନ୍ତି। ମହାରାଷ୍ଟ୍ରର ଜଣେ ଟିକ୍‌ଟକ୍ ଷ୍ଟାର୍‌ ତାଙ୍କ ଦୁଇ ପତ୍ନୀଙ୍କୁ ନେଇ ନୃତ୍ୟ ଭିଡିଓ ପ୍ରସ୍ତୁତ କରୁଥିଲେ। ଟିକ୍‌ଟକ୍‌ ନିଷିଦ୍ଧ ଖବର ଶୁଣିବା ପରେ ତାଙ୍କ ଦୁଇ ପତ୍ନୀ କାନ୍ଦି ପକାଇଥିଲେ। ଅନ୍ୟ ଜଣେ ଟିକ୍‌ଟକ୍‌ ଷ୍ଟାର୍‌ ନିଜକୁ ଘର ଭିତରେ ତାଲା ପାଇ ବହୁତ କାନ୍ଦିଥିଲେ। ଅନ୍ୟ ଏକ ଖବର ମିଳିଛି ଯେ, ଯେଉଁ ଆପ୍‌ଗୁଡ଼ିକୁ ନିଷିଦ୍ଧ କରାଯାଇଛି ସେମାନେ ନିଜର ପକ୍ଷକୁ ୪୮ ଘଣ୍ଟା ଭିତରେ ସରକାରଙ୍କ ପାଖରେ ରଖିପାରିବେ। ସେମାନଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ମଧ୍ୟ ତଦନ୍ତ କରାଯିବ। ଅନ୍ୟପକ୍ଷରେ ନିଷିଦ୍ଧ ହୋଇଥିବା ଚୀନ୍‌ର ଆପ୍‌ଗୁଡ଼ିକ ପାଇଁ କାର୍ଯ୍ୟ କରୁଥିବା ଭାରତୀୟଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ଭଳି ଅ‌ାପ୍ ବନ୍ଦ ହୋଇଥିବାରୁ ଏହା ଉପରେ ନିର୍ଭରଶୀଳ ଥିବା ଅନେକ ଲୋକ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି। ଚୀନ୍‌ ଆପ୍‌ଗୁଡ଼ିକୁ ନିଷିଦ୍ଧ କରିବା ନିଷ୍ପତି ଅକସ୍ମାତ ନଥିଲା। ସରକାରଙ୍କ ପୂର୍ବରୁ ସେନା ବାହିନୀ ୮୯ଟି ଆପ୍‌କୁ ନିଷିଦ୍ଧ କରିଥିଲା। ସେହି ତାଲିକାରେ ଟିକ୍‌ଟକ୍‌ ସହିତ ଫେସ୍‌ବୁକ୍‌ର ନାମ ମଧ୍ୟ ଥିଲା। ତେବେ ତାଲିକାରେ ଥିବା ଅଧିକାଂଶ ଆପ୍୍‌ର ଚୀନ୍ ସହ ସମ୍ପର୍କ ଥିଲା।

ସମ୍ବନ୍ଧିତ ଖବର