ଟିକ୍‌ଟକ୍‌ ଇଣ୍ଡିଆ ବିକ୍ରି ଉଦ୍ୟମ ଆରମ୍ଭ

ସଫ୍ଟବ୍ୟାଙ୍କ ସହ ଚାଲିଛି କଥା‌ବାର୍ତା

ନୂଆଦିଲ୍ଲୀ : ଟିକ୍‌ଟକ୍‌ର ଭାରତ ବ୍ୟବସାୟ ବିକ୍ରି କରିବା ଲାଗି ଚୀନ୍‌ କଂପାନି ବାଇଟ୍‌ଡ୍ୟାନ୍ସ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଏହା ଗ୍ଲାନ୍ସ ନାମକ ସଂସ୍ଥା ସହ କଥାବାର୍ତା କରୁଛି। ଭାରତୀୟ ବଜାରକୁ ଫେରିବାର ଆଶା ସବୁ ଦିନ ପାଇଁ ବନ୍ଦ ହୋଇଯିବା ପରେ ବାଇଟ୍‌ଡ୍ୟାନ୍ସ ଏହାକୁ ବିକ୍ରି କରିବାକୁ ଚାହୁଛି। ଜାପାନର ପ୍ରମୁଖ ନିବେଶ ସଂସ୍ଥା ସଫ୍ଟବ୍ୟାଙ୍କ ସହ ଆଲୋଚନା କରାଯାଉଛି। ସଫ୍ଟବ୍ୟାଙ୍କ ଅଧୀନରେ ପରିଚାଳିତ ହେଉଥିବା ଏକ ସଂସ୍ଥା ହେଉଛି ଗ୍ଲାନ୍ସ। ଜାପାନର ଏହି ସଂସ୍ଥା ଭାରତର ଅନେକ କଂପାନିରେ ପୁଞ୍ଜିନିବେଶ କରିଛି। ଗ୍ଲାନ୍ସର ଏକ ସହଯୋଗୀ ସଂସ୍ଥା ଇନ୍‌ମୋବି ପିଟିଇରେ ବାଇଟ୍‌ଡ୍ୟାନ୍ସର ଅଂଶଧନ ରହିଛି।

ଗ୍ଲାନ୍ସ ହେଉଛି ଏକ ମୋବାଇଲ୍‌ କଣ୍ଟେଣ୍ଟ୍‌ ଆପ୍। ଏହାକୁ ହାର୍ଭାର୍ଡ ବିଜନେସ୍ ସ୍କୁଲ୍‌ର ପୂର୍ବତନ ଛାତ୍ର ନବୀନ ତିୱାରୀ ଆରମ୍ଭ କରିଥିଲେ। ସେ ଇନ‌୍‌ମୋବିର ସହ ପ୍ରତିଷ୍ଠାତା ମଧ୍ୟ। ଟିକଟକ୍ ନିଷିଦ୍ଧ ହେବା ପରେ ଗ୍ଲାନ୍ସର ୨୦ ବର୍ଷ ପୁରୁଣା ଟିକ୍‌ଟକ୍‌ ଭଳି ଆପ୍ ରେ‌ପୋସୋ ବହୁତ ଲୋକପ୍ରିୟତା ହାସଲ କରିଥିଲା। ଗତ ଡିସେମ୍ବରରେ ଏହା ଗୁଗୁଲ୍ ଓ ପିଟର ସିଲ୍‌ ନାମକ ଜଣେ କୋଟିପତି ଧନୀଙ୍କ ଠାରୁ ନିବେଶ ପାଇବା ପରେ ଏକ ବହୁତ ବଡ଼ ସଂସ୍ଥାରେ ପରିଣତ ହୋଇଛି। ଏହାକୁ ୟୁନିକର୍ଣ୍ଣ ମାନ୍ୟତା ମିଳିଛି। ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ ହୋଇଯାଏ ତାହାକୁ ୟୁନିକର୍ଣ୍ଣ ବୋଲି କୁହାଯାଏ।

ତେବେ ଟିକ୍‌ଟକ୍‌ର ଭାରତରେ ଥିବା ସମ୍ପତ୍ତି ଅନ୍ୟ କୌଣସି ସଂସ୍ଥାକୁ ହସ୍ତାନ୍ତର କରିବା ଏତେ ସହଜ ହେବ ନାହିଁ। ଏଥିପାଇଁ ଉଭୟ ଭାରତ ଓ ଚୀନ୍ ସରକାରଙ୍କ ଅନୁ ମୋଦନ ଦରକାର ପଡ଼ିବ। ଗତବର୍ଷ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସରକାର ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରିଥିଲେ। ସେହି ପଦକ୍ଷେପ ଦ୍ବାରା ଟିକ୍‌ଟକ୍ ସର୍ବାଧିକ ପ୍ରଭାବିତ ହୋଇଥିଲା। କାରଣ ଭାରତ ଥିଲା ଏହା ପାଇଁ ଏକ ବହୁତ ବଡ଼ ବଜାର। ଏଠାରେ ଟିକ୍‌ଟକ୍‌ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ସେହି ସଫଳତାକୁ ଦୋହରାଇବା ଲାଗି ବାଇଟ୍‌ଡ୍ୟାନ୍ସ ଏହାର ଅନ୍ୟତମ ଆପ୍‌ ହେଲୋକୁ ମଧ୍ୟ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଉଦ୍ୟମ କରୁଥିଲା। କିନ୍ତୁ ଦୁଇ ଦେଶ ଭିତରେ ରାଜନୈତିକ ଉ‌ଷ୍ମତା କଂପାନିର ସବୁ ଯୋଜନାକୁ ବିଫଳ କରିଦେଇଛି।

ଟିକ୍‌ଟକ୍‌ର ଭାରତ ବ୍ୟବସାୟକୁ ବିକ୍ରି କରିବାରେ ଯାହା ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହେବ ତାହା ହେଉଛି ବ୍ୟବହାରକାରୀମାନଙ୍କ ତଥ୍ୟ। ଏହି ସବୁ ତଥ୍ୟ ଦେଶ ଭିତରେ ରହୁ ବୋଲି ଭାରତ ସରକାର ଚାହୁଛନ୍ତି। ତେଣୁ ଯେଉଁ କଂପାନି ଟିକ୍‌ଟକ୍‌କୁ କିଣିବ ତାହା ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ଭାରତରେ ରଖିବାକୁ ବାଧ୍ୟ ହେବ। ସେଥିପାଇଁ ପ୍ରଯୁକ୍ତିରେ ନିବେଶ କରିବାକୁ ପଡ଼ିବ। ନିକଟ ଭବିଷ୍ୟତରେ ଭାରତରେ କାରବାର କରିବା ସମ୍ଭବପର ନୁହେଁ ବୋଲି ନିଶ୍ଚିତ ହୋଇଯିବା ପରେ ଟିକ୍‌ଟକ୍‌ର ମାଲିକାନା ରଖିଥିବା ସଂସ୍ଥା ବାଇଟ୍‌ଡ୍ୟାନ୍ସ ପକ୍ଷରୁ ଭାରତରେ କାମ କରୁଥିବା ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏଥିସହିତ ଏହି କାରବାରକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଛି। ତେବେ ଟିକ୍‌ଟକ୍‌ ପାଇଁ କାମ କରୁଥିବା କର୍ମଚାରୀମାନଙ୍କୁ ଅନ୍ୟ ସଂସ୍ଥାଗୁଡ଼ିକରେ ନିଯୁକ୍ତି ମିଳିଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର