ଟିକ୍‌ଟକ୍‌ର ସ୍ବଦେଶୀ ବିକଳ୍ପ ‘ଇଣ୍ଡିୟୋ’, ତିଆରି କଲେ ଦୁଇ ଭାରତୀୟ ଯୁବ ଉଦ୍ୟୋଗୀ

ଭୁବନେଶ୍ବର : ଚୀନ୍‌ର କ୍ଷୁଦ୍ର ଭିଡିଓ ଆପ୍ ଟିକଟକ୍‌କୁ ସରକାର ନିଷିଦ୍ଧ ଘୋଷଣା କରିବା ପରେ ସ୍ବଦେଶୀ ଆପ୍‌ଗୁଡ଼ିକ ପାଇଁ ଆଗକୁ ବଢ଼ିବାର ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଏହି ସମୟରେ ସ୍ବଦେଶୀ ଆପ୍ ଇଣ୍ଡିୟୋ ଦେଶର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ମୋବାଇଲ୍‌ ସ୍କ୍ରିନ୍‌ରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଉଛି। ଦେଶର ଦୁଇ ଯୁବ ଉଦ୍ୟୋଗୀ ଡକ୍ଟର ନିତୀନ ରାୱତ ଓ ମଧୁର କଥୁରିୟା ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି। ଏହା ପୂର୍ବରୁ ନିତୀନ ଆମେରିକା‌ରେ ବୈଜ୍ଞାନିକ ଥିଲେ ଏବଂ ମଧୁର ମାଇକ୍ରୋସଫ୍‌ଟ ପାଇଁ କାର୍ଯ୍ୟ କରୁଥିଲେ।

ହାର୍ଡ ଡିସ୍କ ବିକଶିତ କରିଥିବା ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ଡକ୍ଟର ପିଟର ଗ୍ରନବର୍ଗଙ୍କ ସହାୟକ ଭାବେ ନିତୀନ କାର୍ଯ୍ୟ କରିଛନ୍ତି। ଆଇଆଇଟି ରୁର୍‌କିରୁ ଶିକ୍ଷା ଗ୍ରହଣ କରିଥିବା ମଧୁରଙ୍କ ସଫ୍‌ଟଓୟାର ବିକଶିତ କରିବାରେ ବିଶେଷ ଅଭିଜ୍ଞତା ରହିଛି। ଉଭୟ ନିତୀନ ଓ ମଧୁର କହିଛନ୍ତି, ଦେଶରେ ୭୨ କୋଟି ଲୋକ ଇଣ୍ଟରନେଟ୍‌ର ବ୍ୟବହାର କରୁଛନ୍ତି। କରୋନା ସଙ୍କଟ ସମୟରେ କ୍ଷୁଦ୍ର ଭିଡିଓ ଆପ୍‌ ଲୋକମାନଙ୍କ ମନୋରଞ୍ଜନ କରୁଥିବା ବେଳେ ସେମାନଙ୍କ ସମୟକୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବାର ସୁଯୋଗ ଦେଇଛି। ଇଣ୍ଡିୟୋର ଆଇଓଏସ୍‌ ଭର୍ସନ ଖୁବ୍‌ଶୀଘ୍ର ଆସିିବ ବୋଲି ସେମାନେ କହିଛନ୍ତି। ଇଣ୍ଡିୟୋକୁ ଏବେ ବିକଶିତ କରାଯାଉଥିବା ବେଳେ ଅନେକ ଯୁବକଯୁବତୀ ଏଥିରେ ଯୋଡ଼ି ହୋଇସାରିଲେଣି। ଏହା ଏବେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର