ନିବେଶର ସଠିକ୍ ସମୟ ଜଣାଇବ ‘ଟାଇମର୍‌ ଏସ୍‌ଟିପି’

ଭୁବନେଶ୍ବର: ଷ୍ଟକ ବଜାରରେ ନିବେଶର ପ୍ରକୃତ ସମୟ ଜାଣିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ବଜାରରେ ଅସ୍ଥିରତା ଲାଗି ରହୁଥିବାରୁ ଏକ ଭୁଲ ସମୟରେ ନିବେଶ କଲେ କ୍ଷତି ସହିବାର ଆଶଙ୍କା ରହିଛି। ନିବେଶକମାନଙ୍କ ଏହି ସମସ୍ୟାକୁ ଦୂର କରିବା ଲାଗି ସାମ୍‌କୋ ମ୍ୟୁଚୁଆଲ୍ ଫଣ୍ଡ୍‌ ପକ୍ଷରୁ ଟାଇମର୍‌ ଏସ୍‌ଟିପି ସୁବିଧା ପ୍ରଦାନ କରାଯାଉଛି। ନିବେଶ କରିବା ଲାଗି କ’ଣ ପ୍ରକୃତ ସମୟ ତାହା ଏହା ଜଣାଇବ। ସାଧାରଣତଃ ବଜାରରେ ଉତ୍ସାହ ଥିବା ବେଳେ ନିବେଶକମାନେ ଇକ୍ବିଟି ସେୟାର କିଣନ୍ତି ଓ କୌଣସି ଷ୍ଟକର ମୂଲ୍ୟ ହ୍ରାସ ପାଇଲେ ତାହାକୁ ବିକ୍ରି କରିଥାନ୍ତି। ଏହି ଦୁଇ ସାଧାରଣ ତ୍ରୁଟି ଠାରୁ ନିବେଶକଙ୍କୁ ଦୂରେଇ ରଖିବାରେ ଟାଇମର୍‌ ଏସ୍‌ଟିପି ସହାୟକ ହେବ। ବଜାର ଆଗକୁ ବଢ଼ିସାରିଥିବା ବେଳେ ବିଳମ୍ବରେ ପ୍ରବେଶ କରିବା କିମ୍ବା ବଜାର ହ୍ରାସ ପାଉଥିବା ସମୟରେ ବିଳମ୍ବରେ ପଛକୁ ହଟିବା କ୍ଷତିକାରକ ହୋଇପାରେ ବୋଲି କଂପାନିର ସିଆଇଓ ଉମେଶ କୁମାର ମେହତା କହିଛନ୍ତି। ସେ କହିଛନ୍ତି ଯେ ଆମେ ନିବେଶର ମୂଳ ତତ୍ତ୍ବ ଓ ପ୍ରଯୁକ୍ତି ଆଧାରରେ ଟାଇମର୍‌ ଏସ୍‌ଟିପିକୁ ପ୍ରସ୍ତୁତ କରିଛୁ ଯାହା ଛୋଟ ବଡ଼ ସବୁ ନିବେଶକମାନଙ୍କ ଲାଗି ନିବେଶ ନିଷ୍ପତ୍ତି ଗ୍ରହଣ କରିବାରେ ସହାୟକ ହେବ। ଏହି ଅବସରରେ କଂପାନିର ଆଞ୍ଚଳିକ ମୁଖ୍ୟ ଶତଦ୍ରୁ ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର