ଟାୟା‌ର ଫାଟିବା ‘ଆକ୍ଟ ଅଫ୍‌ ଗଡ୍‌’ ନୁହେଁ: ହାଇକୋର୍ଟ

ମୁମ୍ବାଇ : ଟାୟାର ଫାଟିବାକୁ ଆକ୍ଟ ଅଫ୍ ଗଡ୍‌ କୁହାଯାଇପାରିବନି। ଏହାକୁ ମାନବ ଅବହେଳା ଜନିତ ଘଟଣା ଭବେ ବିଚାର କରାଯିବ ବୋଲି କହି ପୀଡ଼ିତ ପରିବାରକୁ କ୍ଷତିପୂରଣ ରାଶି ଦୋବୁକ ଏକ ବୀମ‌ା କଂପାନିକୁ ବମ୍ବେ ହାଇକୋର୍ଟ କହିଛନ୍ତି। ଚକ ଫାଟିବାରୁ ଏକ କାର୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ବୀମା ରାଶି ପାଇବା ଲାଗି ଦାବି କରାଯାଇଥିଥିଲା। ତାହା ଆକ୍ଟ ଅଫ୍ ଗଡ୍ ‌ବୋଲି କହି ବୀମା କଂପାନି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ସେହି ଘଟଣା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି।

୨୦୧୦ ଅକ୍ଟୋବର ୫ରେ ଏହି ଦୁର୍ଘଟଣା ଘଟିଥିଲା। ମକରନ୍ଦ ପଟୱର୍ଦ୍ଧନ ନାମକ ଜଣେ ବ୍ୟକ୍ତି କାର୍‌ରେ ପୁନେରୁ ମୁମ୍ବାଇ ଆସୁଥିବା ବେଳେ କାର୍‌ର ଚକ ଫାଟିଯିବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ପଟ୍ଟୱର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା। ସେ ଏକ ଘରୋଇ କଂପାନିରେ ସହକାରୀ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ ଓ ପ୍ରାୟ ୭୦ ହଜାର ଟଙ୍କା ଦରମା‌ ପାଉଥିଲେ। ବୀମା ରାଶି ପାଇବା ଲାଗି ଘର ଲୋକ ନିଉ ଇଣ୍ଡିଆ ଆସ୍ୟୁରାନ୍ସରେ ଦାବି କରିଥିଲେ। ପରିବାରକୁ ୯ ପ୍ରତିଶତ ସୁଧ ସହ ୧.୨୯ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପୁନେର ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ୍ ବୀମା କଂପାନିକୁ ନିର୍ଦେଶ ଦେଇଥିଲେ। କଂପାନି କିନ୍ତୁ ସେହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲା। ତାହା ଆକ୍ଟ ଅଫ୍‌ ଗଡ୍‌ ଥିଲା ବୋଲି କଂପାନି ଯୁକ୍ତି ବାଢ଼ିଥିଲା। କିନ୍ତୁ ବମ୍ବେ ହାଇକୋର୍ଟରେ ଜଷ୍ଟିସ୍‌ ଏସ୍‌ ଜି ଡିଗେଙ୍କ ଖଣ୍ଡପୀଠ ସେହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ବୀମା କଂପାନିକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର